-
ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
-
ଯୋଗ ଦେବେ ନବୀନଙ୍କ ସମେତ ମମତା ବାନାର୍ଜୀ, ନୀତିଶ କୁମାର ହେମନ୍ତ ସୋରେନ
ଭୁବନେଶ୍ୱର – ବିହାର, ଝାଡଖଣ୍ଡ, ଓଡିଶା ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଇଷ୍ଟର୍ନ ଜୋନାଲ କାଉନସିଲର ୨୪ ତମ ବୈଠକ ଶୁକ୍ରବାର ଦିନ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉପାଧ୍ୟକ୍ଷ ରହିଛନ୍ତି । ବୈଠକରେ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ଭାଗ ନେବେ । ଏହି ବୈଠକରେ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଦୁଇ – ଦୁଇ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ସାମିଲ ହେବେ । ଏହି ବୈଠକରେ ରାଜ୍ୟର ମୁଖ୍ୟ ଶାସନ ସଚିବ, ବିଭିନ୍ନ ବରିଷ୍ଠ ଅଧିକାରୀ ମାନଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କର ବରିଷ୍ଠ ଅଧିକାରୀ ମାନେ ସାମିଲ ହେବେ ।
ଏହି କାଉନସିଲର ଗତ ବୈଠକ ୨୦୧୮ ମସିହା ଅକ୍ଟୋବର ପହିଲାରେ ଅନୁଷ୍ଠିତ ହୋଇଥିଲା ।
ହେବାକୁ ଥିବା ଏହି ବୈଠକରେ ଅନେକ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥି ମଧ୍ୟରୁ ଆନ୍ତଃ ରାଜ୍ୟ ଜଳ ପ୍ରସଙ୍ଗ, ପାବାର ଟ୍ରାନସମିସନ ଲାଇନସ, କୋଲମାଇନ୍ସର ଅପରେସନଲାଇଜେସନ ଓ କୋଲ ରୟାଲଟୀ. ରେଳବାଇ ପ୍ରକଳ୍ପ ଗୁଡିକ ନିମନ୍ତେ ଭୂମି ଅଧିଗ୍ରହଣ, ଦେଶର ସୀମାରେ ଗୋବଂଶ ଚାଲାଣ, ଆଭ୍ୟନ୍ତରୀଣ ଅଂଚଳରେ ଟେଲିକମ ଓ ବ୍ୟାଙ୍କିଙ୍ଗ ସୁବିଧା ନ ଥିବା ଆଦି ଅନେକ ବିଷୟ ଏଥିରେ ସାମିଲ ରହିବ । ବରିଷ୍ଠ ରାଜନୈତିକ ନେତୃତ୍ୱ ଓ ବରିଷ୍ଠ ଅଧିକାରୀ ମାନଙ୍କର ଉପସ୍ଥିତି କାରଣରୁ ଅନେକ ପ୍ରସଙ୍ଗ ବୈଠକରେ ସହମତି ଭିତିରେ ସମାଧାନ ହୋଇ ପାରିବ ।