ଭୁବନେଶ୍ୱର – ରାଜ୍ୟରେ ବାର୍ଷିକ ପ୍ରାୟ ୨୨ ହଜାର ହେକ୍ଟର ଜମିରେ କଦଳୀ ଚାଷ କରାଯାଇ ୪ ଲକ୍ଷ ୮ ହଜାର ମେଟ୍ରିକ୍ ଟନ୍ କଦଳୀ ଅମଳ କରାଯାଇଥାଏ । ଆନ୍ଧ୍ର ବ୍ୟତୀତ କେରଳ ଓ ମହାରାଷ୍ଟ୍ରରୁ ମଧ୍ୟ କଦଳୀ ଆସୁଛି ବୋଲି ରାଜ୍ୟ କୃଷିଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନର ଉତର ଦେଇ ବିଧାନସଭାରେ ଏହା କହିଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟକୁ କଦଳୀ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଜାରୀ ରଖିଛନ୍ତି । ବର୍ତମାନ ଜାତୀୟ ଉଦ୍ୟାନ କୃଷି ମିଶନ ଓ ରାଜ୍ୟ ଯୋଜନାରେ କଦଳୀ ଚାଷ ପାଇଁ ହେକ୍ଟର ପ୍ରତି ୪୦,୯୮୫ ଟଙ୍କାର .ସହାୟତା ପ୍ରଦାନ କରାଯାଉଛି । ବୁନ୍ଦା ଜଳ ସେଚନ ପାଇଁ ମଧ୍ୟ ୮୦ରୁ ୯୦ ପ୍ରତିଶତ ରିହାତି ପ୍ରଦାନ କରାଯାଉଛି । ରୋଗପୋକ ତଥା ଖାଦ୍ୟସାରର ସମନ୍ୱିତ ପରିଚାଳନା ପାଇଁ ହେକ୍ଟର ପ୍ରତି ୧୨୦୦ ଟଙ୍କାର ସହାୟତା ବ୍ୟବସ୍ଥା ରହିଛି । କଦଳୀର ବିକ୍ରିବଟା ସୁବିଧା ପାଇଁ କଦଳୀ ପଚାଇବା ଗୃହ ଲାଗି ୩୫ ରୁ ୫୦ ପ୍ରତିଶତ ରିହାତି ଦିଆଯାଉଛି ।
ଏହା ବ୍ୟତୀତ ୨୦୨୦-୨୧ ଆର୍ଥିକ ବର୍ଷରୁ ରାଜ୍ୟ ଯୋଜନାରେ ଅନୁଗୋଳ , ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା , ସମ୍ବଲପୁର, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ କଦଳୀ ଉତ୍ପାଦନ ବୃଦ୍ଧିପାଇଁ ସ୍ୱତନ୍ତ୍ର ଭାବେ ଏକଚକିଆ କଦଳୀ ଚାଷ ପାଇଁ ହେକ୍ଟର ପ୍ରତି ୧ ଲକ୍ଷ ଟଙ୍କାର ସହାୟତାରେ ,ଇନପୁଟ ଯୋଗାଇବାକୁ ଯୋଜନା କରାଯାଉଛି । ପାଟକୁରା କଦଳୀର ବ୍ରାଣ୍ଡିଂ କରିବାକୁ ଯୋଜନା ରହିଛି ବୋଲି ମନ୍ତ୍ରୀ କହିଥିଲେ ।
ଅନ୍ୟପକ୍ଷରେ ସଦସ୍ୟ ସୁରେଶ କୁମାରରାଉତରାୟ , ଅମର ଶତପଥୀ ଓ ଗଣେଶ ରାମ ସିଂହ ଖୁଂଟିଆ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ରାଜ୍ୟର ଚାହିଦା ୨୦ ଲକ୍ଷ ମେଟ୍ରିକ୍ ଟନ୍ ଥିବା ବେଳେ ଆନ୍ଧ୍ରରୁ ୧୫ ଲକ୍ଷ ମେଟ୍ରିକ୍ ଟନ୍ କଦଳୀ ଆମଦାନୀ କରାଯାଉଛି । କଦଳୀ ଚାଷୀ ମାନଙ୍କୁ ଉପଯୁକ୍ତ ସହାୟତା ସହ ଟ୍ରେନ୍ଂ ଦିଆଯାଉ । କେମିକାଲ ବ୍ୟବହାର କରାନଯାଇ ଜୈବିକ ସାର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଉ ବୋଲି ସେମାନେ କହିଥିଲେ ।
ଏସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କୃଷି ମନ୍ତ୍ରୀଙ୍କୁ କହିଥିଲେ ଯେ ବିଧାୟକମାନଙ୍କ ଆନ୍ଧ୍ରର ରାଜମହେନ୍ଦ୍ରୀ ନେଇକି ଯାଆନ୍ତୁ । ସେଠି ପ୍ରତିଦିନ ୧୦ ହଜାର ଟ୍ରକ୍ ବାହାରକୁ ଯାଉଛି ।ସେଠାରେ କେମିତି ଚାଷ ହେଉଛି ବିଧାୟକମାନଙ୍କୁ ଦେଖାନ୍ତୁ ।