ଜଗତସିଂହପୁର/ଭୁବନେଶ୍ୱର– ପୂର୍ବତନ କଂଗ୍ରେସ ବିଧାୟକ ବିଜୟ କୁମାର ନାୟକଙ୍କର ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ସେଥିପାଇଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳ ୯ଟା ୪୫ ମିନିଟ୍ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।
ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଜନ୍ମଗ୍ରହଣ କରିଥିବା ବିଜୟ ନାୟକ ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ । ସେ ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ଥିଲେ । ତତ୍କାଳୀନ ଜନତା ଦଳର ବରିଷ୍ଠ ନେତା ଦାମୋଦର ରାଉତଙ୍କୁ ହରାଇ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥି ସହିତ ସେ କଟକ ବସ୍ ମାଲିକ ସଙ୍ଘର ମଧ୍ୟ ଦୀର୍ଘଦିନ ଧରି ସଭାପତି ଦାୟିତ୍ୱ ନିର୍ବାହ କରିଥିଲେ ।