-
୨୮ରେ ଓଡିଶା ଆସିବେ ଅମିତ ଶାହା
ଭୁବନେଶ୍ୱର – ଆଗାମୀ ଫେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ସେହିଦିନ ଶ୍ରୀ ଶାହା ଭୁବନେଶ୍ୱର ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ଭୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଜନତା ମଇଦାନ ଠାରେ ଭୂମି ପୂଜନ କରିଛନ୍ତି ।
କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ନାଗରିକ ସଂଶୋଧନ ଆଇନ ଆଣି ପାକିସ୍ତାନ, ବାଲାଂଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଆଧାରରେ ପ୍ରପୀଡିତ ହୋଇ ଭାରତକୁ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛନ୍ତି । ଯେଉଁ କଥା ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁ କଥା ବାବା ସାହେବ ଆମ୍ବେଦକର ଚାହୁଁଥିଲେ ତାହା ନରେନ୍ଦ୍ର ମୋଦିଙ୍କର ସରକାର କରିଛନ୍ତି । ସେହି ବିରୋଧୀ କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ କିଛି ରାଜନୈତିକ ଦଳ ଯେଭଳି ସିଏଏ କୁ ନେଇ ଅପପ୍ରଚାର କରୁଛନ୍ତି, ଏହା ଫଳରେ ଦେଶରେ ଏକ ବିରୋଧର ବାତାବରଣ ତିଆରି ହେଉଛି । କିନ୍ତୁ ସାରା ଦେଶ ବିରୋଧୀ ମାନଙ୍କର ଏହି ଚାଲ୍ କୁ ବୁଝିସାରିଛନ୍ତି । ସାରା ଦେଶ ନାଗରିକ ସଂଶୋଧନ ଆଇନର ସମର୍ଥନରେ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ । ଅନ୍ୟପଟେ ଶାହାଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନ ସଂପର୍କରେ କିଛି ବ୍ୟକ୍ତିଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ଶ୍ରୀ ଶାହା ଆସୁଛନ୍ତି । ଏହି ଜନସାମବେଶରେ ବିପୁଳ ଭାବେ ସାଧାରଣ ଜନତା ଯୋଗ ଦେଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଆହ୍ୱାନ ଦେଇଛନ୍ତି ।
ଭୂମିପୂଜନ ଅବସରରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଜଗନ୍ନାଥ ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ପଂଚାନନ ନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ଥିଲେ ।