ଫୁଲବାଣୀ- ଆଜି ସକାଳ ଠାରୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ଆରମ୍ଭ ହୋଇଛି । ଫୁଲବାଣୀ ସହରରେ ବର୍ଷାର ପରିମାଣ ଅଧିକ ରହିଥିବା ଜଣାପଡିଛି । ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ୨୦ ମିନିଟ୍ ଧରି ପ୍ରବଳ ପବନ ସାଙ୍ଗକୁ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡିଥିଲା । କେତେକ ସ୍ଥାନରେ ଗଛ ଉପୁଡି ରାସ୍ତା ଉପରେ ପଡିଥିବା, ବିଦ୍ୟୁତ ଖୁଂଟ ଉପୁଡି ପଡିଥିବା, ତାର ଛିଣ୍ଡି ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି । ଏପରିକି ବହୁ ସଂଖ୍ୟାରେ ଝାଟିମାଟି ଚାଳ ଛପର ଘର ଓ ଆଜବେଷ୍ଟସ ଘର କ୍ଷୟକ୍ଷତି ହୋଇଛି । ଏକ ଛାତ ଘର ମଧ୍ୟ ଧସି ଯାଇଛି । ପେଞ୍ଜିସାହିରେ ଥିବା ଏକ କୋଚିଂ ସେଂଟର ଘରର ଛପର ଉଡିଯିବା ଫଳରେ କୋଚିଂ ସେଂଟରରେ ଥିବା କିଛି ପିଲା ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ଏଥିସହ ତେରାଗୁଡ଼ା, ପେଞ୍ଜିସାହି, ମାଦିକୁନ୍ଦା, ପିଡବ୍ଲ୍ୟଡ଼ି କଲୋନୀ, ମେଡ଼ିକାଲ ପରିସର, ନାରାୟଣୀ ମନ୍ଦିର ରୋଡ଼, ମାଷ୍ଟରପଡ଼ା ଛକ ଆଦି ସ୍ଥାନରେ ବହୁ ସଂଖ୍ୟାରେ ଗଛ ଭାଙ୍ଗି ପଡିବା ସହ ଅଧିକ ମାତ୍ରାରେ କ୍ଷୟକ୍ଷତି ଘଟିଥିବା ଜଣାପଡିଛି ।
ଗଛ ପଡିଯିବା ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ରହିଛି । ରାସ୍ତାରୁ ଗଛ ହଟାଇବା କାର୍ଯ୍ୟରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂଙ୍କ ନେତୃତ୍ୱରେ ଫୁଲବାଣୀ ଅଗ୍ନିଶମ ବିଭାଗ ଓ ଓଡ଼୍ରାଫ ଟିମ୍ ର ସଦସ୍ୟ ମାନେ ନିୟୋଜିତ ଅଛନ୍ତି । ଫୁଲବାଣୀ ଟିମ୍ ହ୍ୟୁମାନିଟିର କର୍ମକର୍ତା ମାନେ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି ।