ପିପିଲି- ପୁରୀ ଜିଲ୍ଲା ପିପିଲି ଥାନା କଂଟି ପଂଚାୟତ ଅନ୍ତର୍ଗତ କାକୁଡ଼ିଆ ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ର କରି ଗତକାଲି ରାତିରେ ଦୁଇ ଜଣ ଦୁର୍ବୃତ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଗୁରୁତର ଯୁବକଙ୍କ ନାମ ଅଜୟ ଦାସ । ୨୩ ବର୍ଷିୟ ଅଜୟଙ୍କୁ ଚିକିତ୍ସା ନିମନ୍ତେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ସମ୍ପ୍ରତି ସେ ସୁସ୍ଥ ଥିବା ଜଣାପଡିଛି ।
ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପୂର୍ବ ଶତୃତାକୁ କେନ୍ଦ୍ର କରି ସମ୍ପୃକ୍ତ ଯୁବକଙ୍କ ଉପରେ ଏଭଳି ମରଣାନ୍ତକ ଆକ୍ରମଣ ହୋଇଛି । ପୂର୍ବରୁ ଗଣେଷ ପୂଜା ସମୟରେ ଅଜୟ ଅନ୍ୟ ଏକ ଗୋଷ୍ଠୀର ଜଣକୁ ଆକ୍ରମଣ କରିଥିଲା । ଏପରିକି ଏ ସଂକ୍ରାନ୍ତରେ ତାଙ୍କ ନାମରେ ପୂର୍ବରୁ ଥାନାରେ ମାମଲା ରହିଛି । ତେବେ ଗତକାଲିର ଘଟଣାରେ ପିପିଲି ଥାନା ପକ୍ଷରୁ ୫୬/୨୦ ରେ ଏକ ମାମଲା ରୁଜ୍ଜୁ ହୋଇଛି । ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଫେରାର୍ ଥିବା ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରୀ ରଖିଥିବା ନେଇ ଥାନା ଅଧିକାରୀ ଶରତ କୁମାର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଘଟଣା ପରେ କାକୁଡ଼ିଆ ଗ୍ରାମରେ ଉତେଜନା ପ୍ରକାଶ ପାଇଛି ।