ଅହମ୍ମଦାବାଦ୍– ଆମେ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉଛୁ । ପାକିସ୍ତାନ ଉପରେ ଆମେରିକା ଚାପ ପକାଇଛି ।ପାକିସ୍ତାନକୁ ମଧ୍ୟ ଆତଙ୍କବାଦ ଉପରେ ଦୃଢ କାର୍ଯାନୁଷ୍ଠାନ ନେବାକୁ ହେବ । ସବୁ ଦେଶକୁ ନିଜକୁ ସୁରକ୍ଷିତ ରଖିବାର ଅଧିକାର ଅଛି । ଆମେରିକା ଓ ଭାରତ ଆତଙ୍କବାଦୀଙ୍କୁ ରୋକିବାପାଇଁ ଏବଂ ସେମାନଙ୍କ ବିଚାରଧାରା ସହ ଲଢିବା ପାଇଁ ଏକାଠି କାମ କରିବାକୁ ପ୍ରତିବଦ୍ଧ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ।
ସୋମବାର ଅହମ୍ମଦାବାଦ୍ ର ମୋଟେରା ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ନମସ୍ତେ ଟ୍ରମ୍ପ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏହା ପ୍ରକାଶ କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ ଆଇଏସ୍ଆଇଏସ୍ ଓ ବାଗଦାଦୀକୁ ଆମେରିକା ମୂଳପୋଛ କରିପାରିଛି । ଆମ ଦେଶ ମଧ୍ୟ ଇସଲାମିକ ଆତଙ୍କବାଦର ଶୀକାର ହୋଇଛୁ ଏବଂ ଏହା ବିରୁଦ୍ଧରେ ଲଢିଛୁ ।
ସେ ଆହୁରି କହିଥିଲେ ଯେ ସେ ରାଷ୍ଟ୍ରପତି ହେବା ପରେ ପାକିସ୍ତାନ ସୀମାରେ ଥିବା ଆତଙ୍କୀ ସଂଗଠନ ଓ ଆତଙ୍କବାଦୀଙ୍କୁ କାବୁ କରିବାକୁ ଆମେ ପାକିସ୍ତାନ ଉପରେ ଚାପ ପକାଇ ରଖିଛୁ । ଏହାର ବହୁ ସକରାତ୍ମକ ପ୍ରଭାବ ମଧ୍ୟ ପଡିଛି ।