-
୬ ଜଣଙ୍କୁ ବରଖାସ୍ତ , ୨ ଜଣଙ୍କୁ ବାଧ୍ୟତାମୂଳକ ଅବସର
-
ଏପର୍ଯ୍ୟନ୍ତ ୭୪ ଅଧିକାରୀ ବରଖାସ୍ତ , ୧୫ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର – ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ୬ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହ ସେମାନଙ୍କ ପେନସନ୍ ସୁବିଧା ମଧ୍ୟ ସ୍ଥାୟୀ ଭାବେ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଅଧିକାରୀମାନେ ହେଲେ ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ସୁଧୀର କୁମାର ବଜେନ୍ଦ୍ର ନାରାୟଣ , ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଅରୁଣ ଚରଣ ପରିଡା , ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ତଥା ଗ୍ରାମ୍ୟ ଉନ୍ନୟନ ସବ୍ ଡିଭିଜନ୍ କାମାକ୍ଷାନଗରର ପ୍ରମୋଦ କୁମାର ବେହେରା , ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ବ୍ରଜ ସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଖଗେଶ୍ୱର ସ୍ୱାଇଁ ଏବଂ ସମ୍ବଲପୁର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିବେକାନନ୍ଦ ମହାନ୍ତି । ସେମାନଙ୍କର ପେନସନ୍ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।
ସେହିପରି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୨ ଜଣ ଅଧିକାରୀ ହେଲେ କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ଆରଆଇ ଇଶ୍ୱରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ ଆରଆଇ ଅରୁଣ କୁମାର ପୁରୋହିତ । ଏମାନେ ଏକାଧିକ ବାର ଭିଜିଲାନ୍ସ ହାତରେ ଧରା ପଡି ଜେଲ ମଧ୍ୟ ଜାଇଥିଲେ ।
ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ , ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡା ଅଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବାବେଳେ ୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।