-
ହୋଇ ପାରିଲା ନାହିଁ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ
ଭୁୁବନେଶ୍ୱର. ୨୪ ଫେବୃଆରୀ – ଚାଷୀ ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନଙ୍କ ହଟ୍ଟଗୋଳ କାରଣରୁ ସୋମବାର ଦିନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭା ପ୍ରଥମାର୍ଧରେ ସାତ ଥର ମୁଲତବୀ ହୋଇଥିଲା । ଏହି କାରଣରୁ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ଓ ଶୂନ୍ୟକାଳ ହୋଇ ପାରି ନ ଥିଲା । ବିରୋଧୀ ବିଧାୟକ ମାନଙ୍କ ହଟ୍ଟଗୋଳ କାରଣରୁ ବିଧାନସଭାର ବାଚସ୍ପତି ଗୃହକୁ ୧୦.୩୦ରୁ ଏକ ଘଂଟା ପାଇଁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହା ପରେ ପୁଣି ଥରେ ୧୧.୩୨ରୁ ୧୨.୦୨ ଯାଏ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ମାତ୍ର ଏଥିରେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନ ଥିଲା ଓ ଏହା ପରେ ପୁଣି ଥରେ ହଟ୍ଟଗୋଳ କାରଣରୁ ଗୃହକୁ ବାଚସ୍ପତି ଆଉ ପାଂଚ ଥର ମୁଲତବୀ କରିଥିଲେ ।
ସୋମବାର ଦିନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ୧୦.୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆରମ୍ଭରୁ ହିଁ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ମାନେ ତଥା କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକ ମାନେ ଚାଷୀ ମାନଙ୍କ ସମସ୍ୟା ନେଇ ହଟ୍ଟଗୋଳ କରିଥିଲେ । ଚାଷୀ ମାନଙ୍କର ଧାନ କିଣା ହେଉ ନ ଥିବା, ଧାନ କିଣାରେ କଟନି ଛଟନି ହେଉଥିବା ଓ ଟୋକେନ ମିଳୁ ନ ଥିବା ନେଇ ହଟ୍ଟଗୋଳ କରିଥିଲେ । ଏ ସମ୍ପର୍କରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ସୁଦ୍ଧା ଏହାକୁ ସ୍ୱୀକାର କରା ନ ଯିବା ନେଇ ସେମାନେ ବିରୋଧ କରିଥିଲେ ।
ଅନ୍ୟପକ୍ଷରେ ବିଜେପି ବିଧାୟକ ମୋହନ ଚରଣ ମାଝୀ ବିଜନେସ ଆଡଭାଇଜରୀ କମିଟିରେ ବିଜେପିର ସଂଖ୍ୟା ହିସାବରେ ସେହି ଅନୁସାରେ ବିଜେପି ସଦସ୍ୟଙ୍କୁ ସାମିଲ ନ କରାଯିବା ନେଇ ପ୍ରଶ୍ନ ଉଠାଇଥିଲେ ।
ବାଚସ୍ପତି ସେମାନଙ୍କୁ ନିଜ ନିଜ ଆସନକୁ ଯିବାକୁ ଅନୁରୋଧ କରିଥିବା ସତ୍ୱେ ବିରୋଧୀ ଦଳର ବିଧାୟକ ମାନଙ୍କର ହଟ୍ଟଗୋଳ ଜାରୀ ରହିଥିଲା । ଏହା ପରେ ବାଚସ୍ପତି ଏକ ଘଂଟା ପାଇଁ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ଏହା ପରେ ୧୧.୩୦ରେ ପୁଣିଥରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ଦଳର ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଚାଲି ଆସି ନାରାବାଜୀ କରିବା ଆରମ୍ଭ କରି ଦେଇଥିଲେ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଚାଷୀ ମାରଣ ନାତି ଚାଲିବ ନାହିଁ ବୋଲି ସ୍ଲୋଗାନ ଦେଉଥିଲେ ।ସେ ବାଚସ୍ପତିଙ୍କ ପୋଡିୟମ ଆଡକୁ ଅଗ୍ରସର ହେଉଥିଲେ ।ବାଚସ୍ପତି ବିଧାୟକ ମାନଙ୍କୁ ସେମାନଙ୍କର ସିଟକୁ ଯିବା ପାଇଁ ବାରମ୍ବାର ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ୧୧.୩୨ରେ ବାଚସ୍ପତି କହିଲେ ଯେ ଗୃହର ସଠିକ ପରିଚାଳନା ପାଇଁ ସେ ତାଙ୍କ ପ୍ରକୋତରେ ସର୍ବଦଳୀୟ ବୈଠକ ଡକାଉଛନ୍ତି । ଏଥି ସହିତ ସେ ଗୃହକୁ ଅଧ ଘଂଟା ଅର୍ଥାତ ୧୨.୦୨ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ସର୍ବଦଳୀୟ ବୈଠକରେ ଏହାର ସମାଧାନର ରାସ୍ତା ନ ବାହାରିବା କାରଣରୁ ବିରୋଧୀ ଦଳର ବିଧାୟକ ମାନେ ପୁଣି ଧରେ ହଟ୍ଟଗୋଳ କରିଥିଲେ । ଏହା ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୨.୦୨ରୁ ୧୨.୧୭ ଯାଏ ୧୫ ମିନିଟ ପାଇଁ ପରେ ୧୨.୨୭ରୁ ୧୨.୩୨ ୧୫ ମିନିଟ ପାଇଁ , ଏହା ପରେ ୧୨.୩୨ରୁ ୧୨.୪୨ ଯାଏ ଦଶ ମିନିଟ ପାଇଁ ତଥା ୧୨.୪୨ରୁ ୧୨.୫୨ ଦଶ ମିନିଟ ପାଇଁ ମୁଲତବୀ ରଖିଥିଲେ ୟ ଏହା ପରେ ବାଚସ୍ପତି ୧୨.୫୨ରୁ ୧୨.୫୭ ପାଂଚ ମିନିଟ ପାଇଁ ମୁଲତବୀ ରଖିଲା ପରେ ୧୨.୫୭ରୁ ଅପରାହ୍ନ ୩ଟା ଯାଏ ଗୃହକୁ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।