ଅହମ୍ମଦାବାଦ୍– ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅହମ୍ମଦାବାଦ୍ ଠାରେ ସମ୍ବୋଧିତ କରିବା ଅବସରରେ ଭାରତୀୟ ହିନ୍ଦୀ ସିନେମାର ପ୍ରଂଶସା କରିଛନ୍ତି । ପ୍ରସିଦ୍ଧ ସିନେମା ଦିଲୱାଲେ ଦୁଲହନିୟା ଲେ ଯାଏଙ୍ଗେ (ଡିଡିଏଲଜେ) ସମ୍ପର୍କରେ ଟ୍ରମ୍ପ୍ ପ୍ରକାଶ କରିବା ସହ ଭାରତର କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲକର ଏବଂ ବର୍ତମାନର କ୍ରିକେଟ୍ କ୍ୟାପଟେନ୍ ବିରାଟ କୋହଲିଙ୍କୁ ମନେ ପକାଇଥିଲେ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ , ପତ୍ନୀ ମେଲାନିୟା ଏବଂ ଝିଅ ଇଭାଙ୍କାଙ୍କ ସହ ସୋମବାର ପୂର୍ବାହ୍ନରେ ଗୁଜରାଟର ଅହମ୍ମଦାବାଦରେ ପହଂଚିଥିଲେ । ଏଠାରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ମୋଟେରା ଷ୍ଟାଡିଅମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ୍ କହିଥିଲେ ଯେ ଭାରତୀୟ ସିନେମାର ଆକାର ବହୁତ ବଡ ହୋଇଥାଏ । ଏଠାରେ ପ୍ରତିବର୍ଷ ପ୍ରାୟ ୨ ହଜାର ବଲିଉଡ୍ ସିନେମା ନିର୍ମାଣ ହୁଏ । ଏହା କହି ସେ ଶାହରୁଖ୍ –କାଜୋଲ ଅଭିନୀତ ଡିଡିଏଲଜେ ଓ ଶୋଲେ ସିନେମାର ପ୍ରଶଂସା କରିଥିଲେ । ଏହାସହ ସେ କହିଥିଲେ ଯେ ଭାରତ ଦୁନିଆକୁ ସଚିନ୍ ଏବଂ ବିରାଟ କୋହଲିଙ୍କ ଭଳି ବଡ ଖେଳାଳି ଦେଇଛି ।
ଟ୍ରମ୍ପ୍ ଙ୍କ ମୁହଁରୁ ଭାରତୀୟ ସିନେମା ଓ କ୍ରିକେଟ୍ କଥା ଶୁଣିବା ପରେ ପୁରା ଷ୍ଟାଡିୟମ୍ ଉପସ୍ଥିତ ଜନତାଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ।