
ଆନନ୍ଦପୁର- ଐଶ୍ଚର୍ଯ୍ୟା ଫାଉଣ୍ଡେସନର ଉଦ୍ୟମ କ୍ରମେ ଆନନ୍ଦପୁର ବ୍ଲକ ଧକୋଠା ଗ୍ରାମର ୬ ବର୍ଷର କୁନି ଝିଅଟିର ଚିକିତ୍ସା ଖର୍ଚ୍ଚ ଏବଂ ପରିବାରକୁ ସହାୟତା ପ୍ରଦାନ କରିବା ଦିଗରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଧକୋଠା ଗ୍ରାମର ୭୨ ବର୍ଷ ବୟସର ଜେଜେ ମା ଶରତ ନନ୍ଦୀଙ୍କ ଆଦର ଯତ୍ନରେ ପାଳିତ ହୋଇଆସୁଥିବା କୁନି ଝିଅଟି ଠିକ୍ ଭାବେ ଚାଲିନପାରିବା ଏବଂ କଥା କହିପାରୁନଥିବା ଘଟଣା ଦୃଷ୍ଟିକୁ ଆସିଥିଲା । କୁନି ଝିଅଟିର ବାପା ଅଜୟ ନନ୍ଦି (୫୫) ଓ ମାଆ କିଶୋରୀ ନନ୍ଦି (୩୮) ଭିନ୍ନକ୍ଷମ ଭାବେ ଦିନ କାଟୁଥିଲେ । ପରିବାରର ଭରଣପୋଷଣ ଦାୟିତ୍ୱ ଜେଜେ ମାଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିଲା । ଜେଜେ ମା ଗ୍ରାମ ବିଦ୍ୟାଳୟରେ ରୋଷେଇ କରି ପରିବାର ଭରଣପୋଷଣ ଦାୟିତ୍ୱ ମୁଣ୍ଡାଇଥିଲେ । ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଐଶର୍ଯ୍ୟା ଫାଉଣ୍ଡେସନର ସଦସ୍ୟମାନେ ଉକ୍ତ ପରିବାରକୁ ଭେଟି ଜେଜେ ମାଆ ଓ କୁନି ଝିଅକୁ ସାଥିରେ ଆଣି ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ସାକ୍ଷାତ କରାଇଥିଲେ । ଉପଜିଲ୍ଲାପାଳଙ୍କୁ ଆବଶ୍ୟକ କାଗଜ ପତ୍ର ଦେଖାଇବା ପରେ ଝିଅର ଭରଣପୋଷଣ ପାଇଁ ଭତା ବ୍ୟବସ୍ଥା ଗ୍ରହଣ କରାଯିବାର ପ୍ରତିଶୃତି ଦେବା ସହିତ ଚିକିତ୍ସା ପାଇଁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ଏହା ସହିତ କୁନି ଝିଅଟିର ଆବଶ୍ୟକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ପାଇଁ ପ୍ରତିଶୃତି ଦେଇଥିଲେ ।