ଆନନ୍ଦପୁର- ପ୍ରଧାନମନ୍ତ୍ରୀ ଆବାସ, ମୋ କୁଡିଆ, ବିଜୁ ପକ୍କାଘର ଭଳି ବିଭିନ୍ନ ସରକାରୀ ଯୋଜନାରେ ଗରିବ, ଅସହାୟ, ଭିନ୍ନକ୍ଷମଙ୍କୁ ସାମିଲ କରାଯାଇ କାର୍ଯ୍ୟାଦେଶ ବଂଟନ କରାଯିବା ସହିତ ଯୋଜନାର ସଫଳ ରୁପାୟନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ଏହି ସବୁ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଉଚ୍ଚ ବିଭାଗୀୟ ଅଧିକାରୀ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ସତ୍ୟତା ଉନ୍ମୋଚିତ ହୋଇପାରନ୍ତା ବୋଲି ଆଲୋଚନାର ମୁଖ୍ୟ ବିଷୟ ପାଲଟିଛି । ପଂଚାୟତ ସମିତି କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଆବାସ ଯୋଜନାରେ ସାମିଲ ହେବା ନେଇ ଜଣେ ଭିନ୍ନକ୍ଷମ ଉଦ୍ୟମ କରିଥିଲେ ବି କୌଣସି ସଫଳତା ମିଳିନଥିବା ପରିତାପର ବିଷୟ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅଧିନରେ ।
ଆନନନ୍ଦପୁର ବ୍ଲକ ମୋଚିନ୍ଦା ପଂଚାୟତ ମୋଚିନ୍ଦା ଗ୍ରାମର ଆନନ୍ଦ ସାହୁଙ୍କ ପୁଅ ଭିନ୍ନକ୍ଷମ ପ୍ରଭାତ କୁମାର ସାହୁ ଆବାସ ଯୋଜନାରେ ସାମିଲ ହେବା ନେଇ ବାରମ୍ବାର ଆବେଦନ କରିଥିଲେ ବି ତାଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଇନଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ବହୁ ଉଦ୍ୟମ ସତ୍ୱେ ଭିନ୍ନକ୍ଷମ ପ୍ରଭାତ ଆବାସ ଯୋଜନାରେ ସାମିଲ ହୋଇପାରିନଥିବାରୁ ଶେଷରେ ନିରାଶ ହୋଇ ଅନ୍ୟ ଉପାୟ ନପାଇ ନିଜର ଅଭିଯୋଗ ପତ୍ର ମାନ୍ୟବର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଡାକ ଯୋଗେ ପ୍ରେରଣ କରିଛନ୍ତି । ଏହା ସହିତ ରାଜ୍ୟ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଅଭିଯୋଗପତ୍ର ପଠାଇଛନ୍ତି ।
ସୂଚନାଯୋଗ୍ୟ, ଭିନ୍ନକ୍ଷମ ପ୍ରଭାତ ଜଣେ ମେଧାବି ଛାତ୍ର ଭାବେ ମେଧାବୃତି ପାଇଥିଲେ । ୨୦୧୮ ମସିହାରେ ଯୁକ୍ତ ୨ ବିଜ୍ଞାନ ବିଭାଗର ଦ୍ୱିତୀୟ ବର୍ଷ ଅଧ୍ୟୟନ ସମୟରେ ରୋଗରେ ଆକ୍ରାନ୍ତ ହୋଇଥିଲେ । ଅର୍ଥ ଅଭାବରୁ ରୋଗର ସଠିକ୍ ଚିକିତ୍ସା ହୋଇନପାରିବାରୁ ପ୍ରଭାତ ଅକର୍ମଣ୍ୟ ହୋଇପଡିଥିଲେ । ଡାକ୍ତରଙ୍କ ଅନୁଧ୍ୟାନ ପରେ ଓଡି୦୬୧୦୬୨୦୦୧୦୦୧୬୬୧୪ ସାର୍ଟଫିକେଟ୍ ନଂ ଅନୁଯାୟୀ ତାଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ମିଳିଥିଲା । ଯାହାର ଆଧାରରେ ପ୍ରଭାତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯାଇ ମାସିକ ଭତା ପ୍ରଦାନ କରାଯାଉଛି । ପ୍ରଭାତଙ୍କ ପରିବାର ଏକ ଗରିବ, ଭୂମିହୀନ ପରିବାର ହୋଇଥିବାରୁ ଝାଟିମାଟି ଘରେ ଦିନ ବିତାଉଛନ୍ତି । ବାପା ଆନନ୍ଦ ସାହୁ ଯାହା କିଛି ରୋଜଗାର କରୁଛନ୍ତି ସେଥିରେ ପରିବାର ଭରଣପୋଷଣ ହେଉଛି । ଝାଟିମାଟି ଘରେ ବାପା ଓ ମାଆଙ୍କ ସହିତ ପ୍ରଭାତ ଦୁଃଖେକଷ୍ଟେ ଦିନ କାଟୁଥିବାବେଳେ ଭିନ୍ନକ୍ଷମ ହୋଇଥିବାରୁ ସରକାରୀ ଯୋଜନାରେ ସାମିଲ ହୋଇ ଏକ ଗୃହ ନିର୍ମାଣ କରିବା ପାଇଁ ଆନନ୍ଦପୁର ପଂଚାୟତ ସମିତିରେ ଆବେଦନ କରିଥିଲେ । ଇତିମଧ୍ୟରେ ତାଙ୍କ ଆବେଦନର ଦୀର୍ଘ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସରକାରୀ ଆବାସ ଯୋଜନାରେ ସାମିଲ ହୋଇନପାରିବାରୁ ପ୍ରଭାତ ୦୪୧୧୨୦୧୯୧୦୪ ଅଭିଯୋଗ ନଂ ରେ ୪.୧୧.୧୯ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିବା ପରେ ମଧ୍ୟ ଭିନ୍ନକ୍ଷମ ପ୍ରଭାତ ସରକାରୀ ଆବାସ ଯୋଜନାରେ ସାମିଲ ହୋଇନପାରିବାରୁ ଶେଷରେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ପ୍ରଭାତଙ୍କ ବାପା ଆନନ୍ଦ ସାହୁ ପ୍ରକାଶ କରିଛନ୍ତି ।