-
ନିର୍ବାଚନ ପରେ ମହାନଦୀ ଜଳ ରାଜନିତୀ ଶିତଳଭଣ୍ଡାରରେ, ବିଜେଡି ବିଜେପି ସବୁ ଚୁପ୍
ବୌଦ୍ଧ- ମହାନଦୀ କୁଳରେ ଅବସ୍ଥିତ ବୌଦ୍ଧ ସହରବାସୀ ମହାନଦୀ ପାଣି ଉପରେ ନିର୍ଭର କରି ଚଳିଥାନ୍ତି । କିନ୍ତୁ ଏବେଠୁ ମହାନଦୀ ଶୁଖିଲା ପଡିଲାଣି । ମହାନଦୀ କୂଳରେ ରହି ଲୋକେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଥିବା ବେଳେ ଆଗକୁ ଅବସ୍ଥା ଅସମ୍ଭାଳ ହେବା ନେଇ ଲୋକଙ୍କ ମନରେ ଆଶଙ୍କା ଦେଖା ଦେଲାଣୀ । ମହାନଦୀରେ ପ୍ରଚୁର ଭାବରେ ବାଲି ପଡିବା ଫଳରେ ସହର କୁଳରେ ଥିବା ଜଳଧାର ବନ୍ଦ ହୋଇଯାଇଛି । ଓଡିଶାର ଲାଇଫ ଲାଇନ କୁହାଯାଉଥିବା ମହାନଦୀ ଏବେ ଶୁଖିଲା ପଡିଲାଣି । ଏହି ମହାନଦୀ ଜଳକୁ ନେଇ ଏକ ବର୍ଷ ତଳେ ବିଜେଡି ବିଜେପି ପକ୍ଷରୁ ଜୋରଦାର ରାଜନିତୀ ଚାଲିଥିବା ବେଳେ ଏବେ ସମସ୍ତେ ଚୁପ, ନିର୍ବାଚନ ସରିବା ପରେ ମହାନଦୀ ଜଳ ରାଜନିତୀ ଶିତଳଭଣ୍ଡାରକୁ ଚାଲିଯାଇଛି । ନେତାମାନେ ଚୁପ ହୋଇଯିବା ପରେ ପୂର୍ବର ମହାନଦୀର ସ୍ୱପ୍ନ ଦେଖୁଥିବା ଲୋକେ ଏବେ ଚାତକ ପରି ଚାହିଁ ରହିଛନ୍ତି । ମହାନଦୀ କୂଳରେ ଥାଇ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଇବା ସହର ବାସୀଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହେଲାଣି । ବିଶୁଦ୍ଧ ପାନୀୟ ଜଳ ପାଇବା ପରିବର୍ତେ ଜଳଯୋଗାଣ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଦୁଷିତ ଜଳକୁ ବ୍ୟବହାର କରିବାକୁ ସହରବାସୀ ବାଧ୍ୟ ହେଉଛନ୍ତି । ଏବେଠୁ ମହାନଦୀ ଶୁଖିଲା ପଡିଲାଣି , ମହାନଦୀରେ ପାଣି ନଥିବାରୁ ଚିନ୍ତାରେ ବୌଦ୍ଧବାସୀ । ଏହି ସମସ୍ୟାର ଏବେଠୁ ସମାଧାନ କରାନଗଲେ ଆଗକୁ ସହର ବାସୀ ଜଳକଷ୍ଟ ଭୋଗିବା ସହ ବହୁ ହଇରାଣ ହେବେ । ଯେଉଁଠି ଜିଲା ସଦର ମହକୁମାର ଅବସ୍ଥା ଏପରି ସେଠାରେ ଗ୍ରାମାଚଂଳର ଅବସ୍ଥା ସହଜେ ଅନୁମେୟ । ସାଧାରଣତଃ ଗ୍ରୀଷ୍ମ ରୁତୁରେ ପାନୀୟ ଜଳ ସଂକଟ ଦେଖା ଦେବା କଥା ମାତ୍ର ଏବେ ଲୋକେ ପାନୀୟଜଳ ସଂକଟର ସମ୍ମୁଖିନ ହେଉଛନ୍ତି । ଜିଲାରେ ରାଜନୈତିକ ସ୍ଥାଣୁତା ଏବଂ ପ୍ରଶାସନିକ ଅପାରଗତା ଯୋଗୁଁ ଏପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ବୁଦ୍ଧିଜିବୀ ମହଲରେ ଚର୍ଚା ଜୋର ଧରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତଙ୍କୁ ଆବଶ୍ୟକ ପରିମାଣରେ ପାନୀୟ ଜଳ ଯୋଗାଇ ଦେବାର ଡିଣ୍ଡିମ ପିଟୁଥିବା ସହ ଏନେଇ ଅଜର୍ସ ଅର୍ଥ ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଏବଂ ବିଭାଗୀୟ ସମନ୍ୱୟତାର ଅଭାବ ଯୋଗୁଁ ସହରବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଂଚିତ ହେଉଛନ୍ତି । ରାଜୁଡା ସମୟରୁ ଚିରତ୍ସୋତା ମହାନଦୀ ରୁ ଜଳ ସଂଗ୍ରହ କରାଯାଇ ବିଶୋଧନ କରାଯିବା ପରେ ସମଗ୍ର ସହରକୁ ଜଳଯୋଗାଇ ଦିଆଯାଉଥିଲା । ବର୍ତମାନ ସମୟରେ ନଦୀରୁ ସିଧାସଳଖ ଜଳ ଉଠାଯାଇ ବିଶୋଧନ କରାନଯାଇ କେବଳ ଅତ୍ୟଧିକ ମାତ୍ରାରେ ବ୍ଳିଚିଂ ପାଉଡର ଓ ଫିଟକିରି ପକାଯାଇ ଲୋକଙ୍କୁ ଯୋଗାଇ ଦିଆଯାଉଛି । ବ୍ଳିଚିଂ ପାଉଡର ଓ ଫିଟକିରି ର ମାତ୍ରା ଠିକ ରହୁନଥିବା ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରୁ ସଂଗୃହିତ ଜଳ ଲୋକଙ୍କୁ ପାନୀୟଜଳ ପ୍ରକାରେ ଯୋଗାଣ କରାଯାଉଥିବାରୁ ଲୋକେ ନାନା ରକମର ବ୍ୟାଧିର ଶିକାର ହେଉଛନ୍ତି । ଏକଦା ସମଗ୍ର ସହରର ୨୦ହଜାରୁ ଉର୍ଦ୍ଧ୍ୱ ଲୋକଙ୍କୁ ସଠିକ ଏବଂ ଆବଶ୍ୟକ ପରିମାଣର ଜଳ ଯୋଗାଉ ଥିବା ଏହି ପ୍ରକଳ୍ପ ବର୍ତମାନ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଆଶିଂକଭାବେ କେତେକ ଅଂଚଳକୁ ପାନୀୟ ଜଳ ଯୋଗାଇବାରେ ସକ୍ଷମ ହେଉଥିବା ବେଳେ ଅନ୍ୟ ସବୁ ଅଂଚଳରେ ଲୋକେ ହତାଶ ହେଉଛନ୍ତି । ପାନୀୟ ଜଳ ପାଇଁ ପ୍ରତି ସାହିରେ ମହିଳାଙ୍କ ମଧ୍ୟରେ ଗଣ୍ଡଗୋଳର ଦୃଶ୍ୟ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ସହରରେ ପ୍ରତିଦିନ ୩୬ ଲକ୍ଷ ଲିଟର ପାନୀୟଜଳର ଆବଶ୍ୟକତା ରହିଥିବା ବେଳେ ଏବେ ୨୨ ଲକ୍ଷ ଲିଟର ଯୋଗାଇ ଦିଆଯାଉଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ଯେତେବେଳେ କି ଦିନ ସାରା ୧୦ ଲକ୍ଷ ଲିଟର ମଧ୍ୟ ଯୋଗାଣ ହେଉନଥିବା ଜଣେ କର୍ମଚାରୀ ସୂଚନା ଦେଇଛନ୍ତି । ସହରର ପ୍ରତି ଅଂଚଳକୁ ପୂର୍ବରୁ ସକାଳ ସମୟରେ ୨ ଘଂଟା ଏବଂ ଅପରାହ୍ନରେ ୨ ଘଂଟା ଜଳ ଯୋଗାଣ କରାଯାଉଥିଲା । ମାତ୍ର ଗତ ଏକ ବର୍ଷ ହେଲା ଦିନସାରା ୨ ଘଂଟା ପାନୀୟ ଜଳ ଯୋଗାଣ କରାଯାଉଛି ବୋଲି କୁହାଯାଉଥିଲେ ମଧ୍ୟ କେବେ ୧ ଘଠଟା ତ କେବେ ଦେଢ଼ଘଂଟା ପାନୀୟ ଜଳ ଯୋଗାଣ ହେଉଅଛି । ସହରର ପାନୀୟ ଜଳ ଯୋଗାଣରେ ଉନ୍ନତି ସକାଶେ ଅନେକ ଯୋଜନା କରାଯାଇଥିବା ସହ ୧୪ କୋଟି ଟଂକା ପ୍ରକଳ୍ପ ନିର୍ମାଣ ଧିନ ରହିଛି । ପ୍ରକଳ୍ପର କାର୍ଯ୍ୟ ଅଧା ସରିନଥିବା ବେଳେ ମୁଖ୍ୟମନ୍ତ୍ରୀ ଗତ ଏକମାସ ତଳେ ଏହାର ଉଦ୍ଘାଟନ କରିଛନ୍ତି । ୧୪ କୋଟି ଟଂକାର ପ୍ରକଳ୍ପ ହେଲେ ଲୋକେ ଠିକଭାବେ ପାଣି ପାଇବା ନେଇ ଆଶ ବାନ୍ଧୀ ରହିଥିବା ବେଳେ ପ୍ରଶାସନ ଲୋକଙ୍କୁ କେବଳ ଠକି ଠକି ଚାଲିଛି । ସହରରେ ବିଦ୍ୟୁତ ବିଭ୍ରାଟ ହେଲେ ପାନୀୟ ଜଳ ଯୋଗାଣରେ କୌଣସୀ ଅସୁବିଧା ନହେବା ପାଇଁ ଲକ୍ଷ ଲକ୍ଷ ଟଂକା ଖର୍ଚ୍ଚ କରାଯାଇ ଏକ ବୃହତ ଜେନେରେଟର ଅଣାଯାଇଥିଲେ ମଧ୍ୟ ତାହାକୁ ବ୍ୟବହାର କରାଯାଉନାହିଁ । ଏ ଦିଗରେ ପ୍ରଶାସନ ଶିଘ୍ର ପଦକ୍ଷେପ ଗ୍ରହଣ କରି ସହରବାସୀଙ୍କୁ ଆବଶ୍ୟକତା ପରିମାଣର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆନଯାଏ ତେବେ ଏହା ଏକ ବିରାଟ ଜନଆନ୍ଦୋଳନ ଜନ୍ମ ଦେବ ବୋଲି ଅନେକେ ମତପ୍ରକାଶ କରୁଛନ୍ତି । ହିନ୍ଦୁସ୍ଥାନ ସମାଚାର/ସଂପତ୍