
ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ବାୟୁସେନାର ଏଏନ-୩୨ ବିମାନ ଭାରତୀୟ ବାୟୋ-ଜେଟ୍ ଇନ୍ଧନରେ ଲଦ୍ଧାଖରୁ ଉଡ଼ାଣ ଭରି ନୂତନ ଇତିହାସ ସୃଷ୍ଟି କରିଛି । ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଗତ ଜାନୁଆରୀ ୩୧ ତାରିଖ ଦିନ ଲଦ୍ଧାଖର ସୁନ୍ଦର ପାହାଡ଼ିଆ ଅଂଚଳ ଗୋଟିଏ ଐତିହାସିକ ଘଟଣାର ସାକ୍ଷୀ ହୋଇଛି । ଲେହର କୁଶୋକ୍ ବାକୁଲା ରିମ୍ପୋଚି ଏୟାରପୋର୍ଟରୁ ଭାରତୀୟ ବାୟୁସେନାର ଏଏନ -୩୨ ବିମାନ ଯେତେବେଳେ ଉଡ଼ାଣ ଆରମ୍ଭ କଲା, ସେତେବେଳେ ଗୋଟିଏ ନୂତନ ଇତିହାସ ସୃଷ୍ଟି ହେଲା । ଏହି ଉଡ଼ାଣରେ ୧୦ ପ୍ରତିଶତ ଭାରତୀୟ ବାୟୋ-ଜେଟ୍ ଇନ୍ଧନର ମିଶ୍ରଣ କରାଯାଇଥିଲା । ଦୁଇଟିଯାକ ଇଞ୍ଜିନରେ ଏହି ମିଶ୍ରିତ ଇନ୍ଧନ ବ୍ୟବହାର କରାଯିବାର ଏହା ପ୍ରଥମ ଘଟଣା । କେବଳ ସେତିକି ନୁହେଁ, ଲେହର ଯେଉଁ ବିମାନ ବନ୍ଦର ଉପରେ ଏହି ବିମାନ ଉଡ଼ିଲା ତାହା କେବଳ ଭାରତର ନୁହେଁ ବରଂ ବିଶ୍ୱର ସବୁଠାରୁ ଅଧିକ ଉଚ୍ଚତାରେ ରହିଥିବା ବିମାନ ବନ୍ଦରଗୁଡ଼ିକ ମଧ୍ୟରେ ଅନ୍ୟତମ । ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ,
ବାୟୋ ଜେଟ ଫୁଏଲକୁ ନନ ଏଡିବଲ ଟ୍ରି ବର୍ନ ଅଏଲରୁ ପ୍ରସ୍ତୁତ କରାଯାଇଛି । ଏହାକୁ ଭାରତର ବିଭିନ୍ନ ଆଦିବାସୀ ଅଂଚଳରୁ କ୍ରୟ କରାଯାଇଥାଏ । ଏହି ପ୍ରଚେଷ୍ଟା ଫଳରେ କେବଳ ଯେ କାର୍ବନ ନିର୍ଗମନ ହ୍ରାସ ପାଇବ ତାହା ନୁହେଁ, ବରଂ ଅଶୋଧିତ ତୈଳର ଆମଦାନୀ ଉପରେ ମଧ୍ୟ ଭାରତର ନିର୍ଭରତା ହ୍ରାସ ପାଇବ । ଏହି ବିରାଟ କାର୍ଯ୍ୟକ୍ରମ ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି ସେ କହିଛନ୍ତି ।