– ରାଜ୍ୟରେ ବିଜ୍ଞାନ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦିଆଯିବ
ଭୁବନେଶ୍ୱର – ବିଜ୍ଞାନ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ) ପରିଦର୍ଶନ କରିଛନ୍ତି । ଓଡ଼ିଶାରେ ବିଜ୍ଞାନ ଶିକ୍ଷା, ପ୍ରଦର୍ଶନୀ ଆୟୋଜନ ସହିତ ବିଜ୍ଞାନକୁ ଲୋକପ୍ରିୟ କରିବା ଦିଗରେ ବହୁବିଧ ଉଦ୍ୟମ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ପରିଦର୍ଶନ ସମୟରେ ମତବ୍ୟକ୍ତ କରିଛନ୍ତି । ଅନୁରୂପ ଭାବରେ ରାଜ୍ୟ ବିଜ୍ଞାନ ଏକାଡେମୀ ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥ୍ମେଟିକ୍ସର ଅଭିବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ।
ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅନୁରାଗ କୁମାର ଓ ରେଜିଷ୍ଟ୍ରାର ଶ୍ରୀ ରାଜାରାଜନ୍ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ଜଣାଇଥିଲେ । ପାୱାର ପଏଂଟ ପ୍ରଦର୍ଶନ ମାଧ୍ୟମରେ ମନ୍ତ୍ରୀଙ୍କୁ ପ୍ରତିଷ୍ଠାନର କାର୍ଯ୍ୟକଳାପ ବାବଦରେ ଅବଗତ କରାଯାଇଥିଲା । ପ୍ରତିଷ୍ଠାନରେ କାର୍ଯ୍ୟରତ ଖ୍ୟାତନାମା ପ୍ରଫେସର ଓ ବିଜ୍ଞାନୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମନ୍ତ୍ରୀ ଶ୍ରୀ ପଣ୍ଡା ସେଣ୍ଟର ଫର ନାନୋ ସାଇନ୍ସ ଓ ଇଂଜିନିୟରିଂ, ସୁପର କମ୍ପ୍ୟୁଟର ଏଡୁକେସନ୍ ଓ ରିସୋର୍ସ ସେଂଟର ଏବଂ ସୋସାଇଟି ଫର ଇନୋଭେସନ୍ ମଧ୍ୟ ପରିଦର୍ଶନ କରିଥିଲେ । ଏହା ବ୍ୟତୀତ କର୍କଟରୋଗ ଚିକିତ୍ସାରେ ନାନୋଟେକ୍ନୋଲୋଜିର ଭୂମିକା, ହେପାଟାଇଟିସ୍ ବି ନିରାକରଣ ପାଇଁ ଟୀକା ପ୍ରସ୍ତୁତିରେ ଦେଶୀୟ ସଂପୃକ୍ତି, କୃଷି କ୍ଷେତ୍ର କାରିଗରୀରେ ଡ୍ରୋନ୍ର ବ୍ୟବହାର, ଆମ୍ବୁଲାନ୍ସ ପହଂଚିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ପାଇଁ ତ୍ୱରିତ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ଇନ୍ଫ୍ଲୁଏଂଜାର ସାର୍ବଜନୀନ ଟୀକା ପ୍ରସ୍ତୁତି, ଅତ୍ୟାଧୁନିକ ଜଳବିଶୋଧନ ପଦ୍ଧତି, ମଧୁମେହ ରୋଗ ପ୍ରତିକାର ଏବଂ ତଦାରଖ ପ୍ରକ୍ରିୟା ସଂପର୍କରେ ପ୍ରତିଷ୍ଠାନ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଅବଗତ ହୋଇଥିଲେ ।