-
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ- ଆଗାମୀ ତିନିବର୍ଷ ପାଇଁ ଭାରତ ଭ୍ରମଣଶୀଳ ପ୍ରଜାତିମାନଙ୍କ ଉପରେ ଆୟୋଜିତ ହେବାକୁ ଥିବା ସିଓପି ସମ୍ମିଳନୀର ସଭାପତିତ୍ୱ କରିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ଦିନ ମନ କି ବାତ କାର୍ଯ୍ୟକ୍ରମରେ ସେ ଏହି ସୂଚନା ଦେବା ସହ ଏହି ସୁଯୋଗର ସଦୁପଯୋଗ କିପରି କରାଯାଇପାରେ ସେ ସମ୍ପର୍କରେ ନିଜର ମତାମତ ନିଶ୍ଚୟ ପଠାଇବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ ଆମ ଦେଶର ମହାନ ପରମ୍ପରାମାନ ରହିଛି । ଆମର ପୂର୍ବପୁରୁଷମାନେ ଆମକୁ ଯାହା ଉତରାଧିକାର ସୂତ୍ରରେ ଦେଇଯାଇଛନ୍ତି, ଯେଉଁ ଶିକ୍ଷା-ଦୀକ୍ଷା ଆମେ ପାଇଛୁ, ସେଥିରେ ପ୍ରତ୍ୟେକ ଜୀବ ପ୍ରତି ଦୟାଭାବ, ପ୍ରକୃତି ପ୍ରତି ଅସୀମ ଭଲପାଇବା ଭଳି କଥାସବୁ ଆମର ସାଂସ୍କୃତିକ ପରମ୍ପରା । ତେଣୁ, ଭାରତର ଏହି ପରିବେଶର ଆତିଥ୍ୟ ଗ୍ରହଣ କରିବାକୁ ଦେଶ-ବିଦେଶର ବିଭିନ୍ନ ପ୍ରକାରର ପକ୍ଷୀ ପ୍ରତିବର୍ଷ ଭାରତ ଆସିଥାନ୍ତି । ଭାରତ ବର୍ଷସାରା ଅନେକ ବିଦେଶାଗତ ପକ୍ଷୀ-ପ୍ରଜାତିମାନଙ୍କ ଆଶ୍ରୟସ୍ଥଳ ପାଲଟିଥାଏ । ପାଂଚଶହରୁ ମଧ୍ୟ ଅଧିକ ପ୍ରକାରର ପକ୍ଷୀ ପୃଥିବୀର ବିଭିନ୍ନ ଅଂଚଳରୁ ଆସିଥାନ୍ତି । ବିଗତ ଦିନରେ ଗାନ୍ଧୀନଗରରେ ସିଓପି -୧୩ ସମ୍ମିଳନୀରେ ଏହି ବିଷୟରେ ବହୁତ ଆଲୋଚନା ହେଲା, ଚିନ୍ତା କରାଗଲା, ଚର୍ଚ୍ଚା ମଧ୍ୟ ହେଲା ଏବଂ ଭାରତର ପ୍ରୟାସଗୁଡ଼ିକର ବହୁତ ପ୍ରଶଂସା ମଧ୍ୟ କରାଗଲା ।
ସେ କହିଛନ୍ତି ଯେ ସିଓପି ସମ୍ମିଳନୀରେ ଚାଲିଥିବା ଏହି ଆଲୋଚନା ମଧ୍ୟରେ ମୋ ଦୃଷ୍ଟି ମେଘାଳୟ ସହ ସମ୍ପୃକ୍ତ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଡ଼କୁ ଗଲା । ନିକଟ ଅତୀତରେ ପ୍ରାଣୀବିଜ୍ଞାନୀମାନେ ମାଛର ଗୋଟିଏ ନୂତନ ପ୍ରଜାତି ଆବିଷ୍କାର କରିଛନ୍ତି, ଯାହା କେବଳ ମେଘାଳୟର ଗୁମ୍ଫାଗୁଡ଼ିକରେ ଦେଖାଯାଇଥାନ୍ତି । ଏହି ମାଛ ଗୁମ୍ଫାମାନଙ୍କର ଭୂମି ତଳେ ରହୁଥିବା ଜଳଚର ପ୍ରାଣୀମାନଙ୍କ ପ୍ରଜାତି ମଧ୍ୟରେ ସବୁଠାରୁ ବଡ଼ ବୋଲି ବିଶ୍ୱାସ କରାଯାଏ । ଏହି ମାଛ ଏଭଳି ଗଭୀର ଏବଂ ଅନ୍ଧାରୁଆ ଗୁମ୍ଫାଗୁଡ଼ିକରେ ବାସ କରେ ଯେଉଁଠାରେ ହୁଏତ ଆଲୋକ ମଧ୍ୟ ପହଂଚିପାରୁନଥିବ । ଏତେ ବଡ଼ ମାଛ ଏଭଳି ଗଭୀର ଗୁମ୍ଫାଗୁଡ଼ିକରେ କିଭଳି ବଂଚିପାରୁଛି ଏକଥାକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଆମ ଭାରତ ଏବଂ ବିଶେଷକରି ମେଘାଳୟ ଗୋଟିଏ ଦୁର୍ଲ୍ଲଭ ପ୍ରଜାତିର ବାସସ୍ଥାନ ହୋଇଥିବା ଏକ ସୁଖକର ବିଷୟ । ଏହା ଭାରତର ଜୈବ ବିବିଧତାକୁ ଏକ ନୂତନ ପରିଚୟ ଦେବାକୁ ଯାଉଛି । ଆମ ଆଖପାଖରେ ଏତେଗୁଡ଼ିଏ ଆଶ୍ଚର୍ଯ୍ୟଜନକ କଥା ରହିଛି ଯାହା, ଏବେ ମଧ୍ୟ ଆମ ପାଇଁ ଅଜଣା । ଏହିସବୁ ଆଶ୍ଚର୍ଯ୍ୟକୁ ଖୋଜି ବାହାର କରିବା ପାଇଁ ଦୃଢ଼ ଅନୁସନ୍ଧିତ୍ସୁ ମନୋଭାବ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି ।