ଗଞ୍ଜାମ- ଖେଳୁ ଥିବାବେଳେ ପାଳଗଦାରେ ନିଆଁ ଲାଗିଯିବା କାରଣରୁ ଗୁରୁତର ୪ ଶିଶୁଙ୍କ ମଧ୍ୟରୁ ତିନି ଜଣଙ୍କର ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅନ୍ୟ ଜଣକ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସମ୍ପ୍ରତି ସେ ସେଠାରେ ଚିକିତ୍ସାଧିନ ଅଛନ୍ତି । ମୃତାହତ ଶିଶୁମାନଙ୍କର ବୟସ ୬ରୁ ୯ ବର୍ଷ ମଧ୍ୟରେ ହେବ ।
ଆଜି ପୂର୍ବାହ୍ନରେ ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଖଇରଚଟା ଗ୍ରାମରେ । ଗ୍ରାମର ୫ରୁ ୬ ଜଣ ଶିଶୁ ଗ୍ରାମର ଶିବ ମନ୍ଦିର ନିକଟ ଏକ ପାଳଗଦା ପାଖରେ ଖେଳୁଥିବା ବେଳେ ହଠାତ୍ ପାଳଗଦାରେ କୌଣସି କାରଣରୁ ନିଆଁ ଲାଗି ତାହା ହୁତୁ ହୁତୁ ହୋଇ ଜଳି ଉଠିଥିଲା । ଗୁରୁତର ୪ ଶିଶୁଙ୍କୁ ଗ୍ରାମବାସୀଙ୍କ ସହାୟତା କ୍ରମେ ପ୍ରଥମେ ପୋଲସରା ଡ଼ାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଇତିଶ୍ରୀ ଜେନା, ଦୀପକ ଗୌଡ଼ ଓ ସାଇରାମ ଜାନିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁଅ ଓ ଜଣେ ଝିଅ ରହିଛନ୍ତି । ଅନ୍ୟ ଜଣେ ବାଳକ ଆଲୋକ ଯେନା ଡ଼ାକ୍ତରଖାନାରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।