ଡେଲାଙ୍ଗରେ ଆତଙ୍କ ଖେଳାଇବା ପରେ ରାତା ରାତି ଏହି ଦନ୍ତା ପଂହଚିଥିଲା ବଳଙ୍ଗାରେ । ଆଜି ଭୋର ୫ଟା ସମୟରେ ଗୋପିନାଥପୁର ଗ୍ରାମର ଯୁଗଳ କିଶୋର ଭଟ୍ଟ (୫୯) ଶୈାଚ ହେବାକୁ ନିକଟସ୍ଥ କେନାଲବନ୍ଧକୁ ଯାଇଥିଲେ । ତେବେ କୁହୁଡ଼ି ଥିବାରୁ ସେ ହାତୀଟିକୁ ଦେଖି ପାରିନଥିଲେ । କିନ୍ତୁ ହାତୀ ତାଙ୍କୁ ଦେଖିପାରି ଗୋଡାଇ ଆସିଥିଲା । ତେବେ ଯୁଗଳ ପାଖରେ ଥିବା ଏକ ଗଛ ବୁଦା ମୁଳେ ଲୁଚିଯାଇଥିଲେ । କିନ୍ତୁ ହାତୀ ତାଙ୍କୁ ଦେଖିପାରି ଶୁଣ୍ଢରେ ଭିଡି ଆଣି ତଳେ କଚାଡି ଦେଇଥିଲା । ଦୟନୀୟ ଅବସ୍ଥାରେ ଚିତ୍କାର କରୁଥିବା ଯୁଗଳଙ୍କ ଛାତିରେ ଚଢ଼ି ଦଳିଦେଇଥିଲା ଦନ୍ତାହାତୀ । ହାତୀ ଆକ୍ରମଣରେ ତାଙ୍କର ଗୋଡହାତ ଖଣ୍ଡ ଖଣ୍ଡ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ହାତୀର ଏହି ବର୍ବର ଆକ୍ରମଣକୁ ଅତି ପାଖରୁ ଦେଖିଥିଲେ ଯୁଗଳଙ୍କ ସହ ଶୈାଚ ହେବାକୁ ଯାଇଥିବା ସେହି ଗ୍ରାମର ହାଡୁବନ୍ଧୁ ସାହୁ ଓ ବାବନ ପୃଷ୍ଟି । ଦନ୍ତା ଏମାନଙ୍କୁ ଆକ୍ରମଣ କରିବାକୁ ଗୋଡାଇ ଥିଲା । ହାଡୁବନ୍ଧୁଙ୍କୁ ଶୁଣ୍ଡରେ ଟେକି ଏକ ବୁଦା ଭିତରକୁ ଫୋପାଡି ଦେଇଥିଲା । ବାବନ ନିଜ ଜୀବନ ରକ୍ଷା କରିବାକୁ ଯାଇ ପାଖରେ ଥିବା ଏକ ପୋଖରୀକୁ ଡେଇଁପଡି ଜୀବନ ବଂଚାଇଥିଲେ । ବିଲକୁ ଆସୁଥିବା ସେହି ଗ୍ରାମର ଶଙ୍କର ପଡିହାରୀ ନାମକ ଜଣେ ଯୁବକ ଏ ସମସ୍ତ ଘଟଣାକୁ ଦେଖି ଦୈଡିଯାଇ ଗାଁ ଲୋକଙ୍କୁ ଡାକ ପକାଇଥିଲା । ଗାଁ ଲୋକ ଆସି ଘଟଣାସ୍ଥଳରୁ ଯୁଗଳଙ୍କ ମୃତଦେହକୁ ଉଦ୍ଧାର କରି ଗାଁକୁ ଆଣିଥିଲେ । ସେପଟେ ହାତୀଟି ଭାର୍ଗବୀ ନଦୀ ପଠା ଦେଇ ମୈାଜିବେଗ ମାଟିଘର ଆଡକୁ ମୁହାଁଇଥିଲା । ସେହି ସମୟରେ ତେରହଳ ଗ୍ରାମର ଛବିଦେଇ (୪୮) ନଦୀରୁ ଗାଧୋଇ ଫେରୁଥିବା ବେଳେ ସେ ମଧ୍ୟ ହାତୀ ହାବୁଡରେ ପଡିଥିଲେ । ହାତୀଟି ତାଙ୍କୁ ତଳେ ପକାଇ ଚକଟି ଦେବାରୁ ତାଙ୍କ ଅଂଟା ଏବଂ ଛାତି ପିଞ୍ଜରା ହାଡ଼ ଭାଙ୍ଗି ଯାଇଛି । ସେ ମଧ୍ୟ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସକାଳ ପାଖାପାଖି ସାଢେ ଛଟା ବେଳେ ଚନ୍ଦ୍ରାଦେଇପୁର ମାଟିଘରର ମକର ପଲେଇ (୬୦) ବିଲରେ କାମ କରୁଥିଲା ବେଳେ ହାତୀଟି ତାଙ୍କୁ ଗୋଡାଇବାରୁ ସେ ବିଲ ପାଖରେ ଥିବା ବାଡରେ ଲୁଚି ଯାଇଥିଲେ । ତେବେ ହାତୀଟି ତାଙ୍କୁ ସେହିଠାରେ ଦଳିଦେବାରୁ ତାଙ୍କର ପେଟ ଫାଟି ଅନ୍ତବୁଜୁଳା ବାହାରି ପଡିଥିଲା । ସେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ହାତୀଟି ସେଠାରୁ ଚାଲିଯିବା ପରେ ପାଖରେ ମୁଗ ବିଲରେ ଔଷଧ ପକାଉଥିବା ଚନ୍ଦ୍ରାଦେଇପୁର ଗ୍ରାମର କାଳିଆ ବେହେରା ନାମକ ଯୁବକଙ୍କୁ ଆକ୍ରମଣ କରିଥିଲା । ମାଟିଘର ସାହିରେ ମୃତ୍ୟୁର ବିଭିଷିକା ଖେଳାଇ ଏହି ଦନ୍ତା ହାତୀ ସିଧା ଯାଇଥିଲା ରାଜତେଇ ଅଭିମୁଖେ । ସେଠାରେ ଘରର ବାଡିପଟକୁ ଯାଇଥିବା ଚଇନ ସାହୁ (୪୧) ହାତୀ କବଳରେ ପଡିଯାଇଥିଲେ । ସମାନ ଢଙ୍ଗରେ ଚଇନଙ୍କ ଛାତିରେ ଚଢ଼ିଯାଇଥିଲା ଦନ୍ତା ହାତୀ । ଘଟଣାସ୍ଥଳରେ ଚଇନ ପ୍ରାଣ ହରାଇଥିଲେ । ସ୍ଥାନୀୟ ଅଂଚଳରେ ମୃତ୍ୟୁର ତାଣ୍ଡବ ଖେଳାଇ ହାତୀଟି ପାଖରେ ଥିବା ଏକ ଘଂଚ ଜଙ୍ଗଲିଆ ସ୍ଥାନରେ ପାଗଳ ପ୍ରାୟ ବୁଲୁଥିବା ବେଳେ ତାକୁ ଚତୁପାଶ୍ୱର୍ରୁ ବାଲିପାଟଣା ବନବିଭାଗ ସହିତ ପିପିଲି ପୁଲିସ ଏବଂ ସ୍ଥାନୀୟ ଗ୍ରାମବାସୀ ମାନେ ଘେରି ରହିଛନ୍ତି ।
ଏହି ଘଟଣା ପରେ ସମଗ୍ର ଅଂଚଳରେ ଭୟର ବାତାବରଣ ଖେଳିଯାଇଛି । ଦିନ ଦ୍ୱିପ୍ରହରେ ବି ସମସ୍ତଙ୍କ ଘରେ ତାଟି କବାଟ ପଡିଛି ଓ ଭୟରେ କେହି ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ମୃତ୍ୟୁକୁ ନେଇ ଉତ୍ୟକ୍ତ ଲୋକମାନେ ବନ ବିଭାଗକୁ ସିଧାସଳଖ ଦାୟୀ କରିଛନ୍ତି । ପୁରୀ ଡିଏଫଓ ପ୍ରଶାନ୍ତ କୁମାର ସ୍ୱାଇଁ ଓ ଗୋପ ରେଂଜର ବେଣୁଧର ବେହେରାଙ୍କ ସହିତ ବଳଙ୍ଗା ଥାନା ଅଧିକାରୀ ସଂଜୀବ ପ୍ରଧାନ ଏବଂ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ ଏବଂ ବାଲିପାଟଣା ରେଞ୍ଜ୍ ର ଅଧିକାରୀ ମାନେ ଘଟଣାସ୍ଥଳରେ ପଂହଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାଶୁଝା କରିଛନ୍ତି ।
ଅନ୍ୟପକ୍ଷରେ ଜଙ୍ଗଲୀ ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଆପାତକାଳୀନ ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି । ଏହା ସହ ଗୁରୁତରଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବନ ବିଭାଗ ବହନ କରିଛି । ହାତୀ କେଉଁ ଆଡୁ ଆସିଛି ବନବିଭାଗ ତାର ଅନୁଧ୍ୟାନ କରୁଛି । ତେବେ ଗୋପିନାଥ ପୁରରେ ହାତୀ ଆକ୍ରମଣକୁ ପାଖରୁ ଦେଖିଥିବା ଶଙ୍କର ହାତୀର ଦାନ୍ତ ନଥିବା କହୁଥିବାରୁ ଏହା ପ୍ରକୃତରେ ଗୋଟିଏ ହାତୀ ନା ଏକାଧିକ ତାହାକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ବଳଙ୍ଗା ଓ ପିପିଲି ପୁଲିସ ପକ୍ଷରୁ ତିନି ମୃତକଙ୍କ ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।