
ସାକ୍ଷିଗୋପାଳ- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସାକ୍ଷିଗୋପାଳ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ସମନ୍ୱିତ ପରୀକ୍ଷାଗାର ସମ୍ପ୍ରତି ଜଣେ ମାତ୍ର ଲ୍ୟାବ୍ ଟେକନିସିଆନଙ୍କ ଦ୍ୱାରା ପରିଚାଳିତ ହେଉଛି । ପୂର୍ବରୁ ଏଠାରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ (ଏନଆରଏଚଏମ) ପକ୍ଷରୁ ଜଣେ କର୍ମଚାରୀ ସୁରେଶ ପ୍ରଧାନ କାର୍ଯ୍ୟରତ ଥିବା ବେଳେ ତିନି ବର୍ଷ ତଳୁ ତାଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯାଇଛି । ତେବେ ବର୍ତମାନ ସୁଦ୍ଧା ତାଙ୍କ ସ୍ଥାନରେ କାହାରିକୁ ଦାୟୀତ୍ୱ ଦେଇନାହାଁନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ) । ଫଳରେ ଏକାକୀ ଏହି କାର୍ଯ୍ୟ ତୁଲାଉଛନ୍ତି ଲ୍ୟାବ୍ ଟେକନିସିଆନ ନରେନ୍ଦ୍ର ନାଥ ଦଳେଇ । ଏପରି ସ୍ଥିତିରେ ଯଦି କୌଣସି ଜରୁରୀ କାମ କିମ୍ବା ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଏହି କର୍ମଚାରୀ ଜଣକ ଛୁଟି ନେଉଛନ୍ତି, ତେବେ ଡ଼ାକ୍ତରଖାନାରେ ରୋଗୀଙ୍କ ରକ୍ତ, ମଳ, ମୂତ୍ର, କଫ ପରୀକ୍ଷା ଏକ ପ୍ରକାର ଠପ୍ ହୋଇପଡୁଛି । ବର୍ତମାନ ସାଧାରଣ ଥଣ୍ଡା, କାଶ, ଜ୍ୱର ଆକ୍ରାନ୍ତଙ୍କୁ ଡ଼ାକ୍ତର ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଉଥିବା ବେଳେ ଏଭଳି ସ୍ଥିତିରେ ଜଣେ ମାତ୍ର କର୍ମଚାରୀରେ ଏହି ପରୀକ୍ଷାକେନ୍ଦ୍ର (ଲ୍ୟାବ୍) ପରିଚାଳନା ଏକ ପ୍ରକାର ଅସମ୍ଭବ ସ୍ଥିତିରେ ପହଂଚିଛି । କେବେ ରକ୍ତ ସାମ୍ପୁଲ୍ ଦେବାକୁ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି ତ ପୁଣି କେବେ ରିପୋର୍ଟ ପାାଇବାରେ ବିଳମ୍ବକୁ ନେଇ ଏଠାରେ ଅପ୍ରିତିକର ପରିସ୍ଥିତି ଉପୁଜୁଛି । ଲୋକେ ହୋ ହାଲ୍ଲା କରୁଛନ୍ତି । ହେଲେ ମେଡ଼ିକାଲ କର୍ତୃପକ୍ଷ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଏହା ଉପରେ ଦୃଷ୍ଟି ପଡୁନି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେତେକ ରୋଗୀ ଓ ସେମାନଙ୍କର ଆଟେଣ୍ଡାଂଟ ଓ ସତ୍ୟବାଦୀର ବହୁ ବରିÂ ନାଗରିକ ।
ଅନ୍ୟପକ୍ଷରେ ଯେଉଁଦିନ ସମ୍ପୃକ୍ତ ଲ୍ୟାବ୍ ଟେକନିସିଆନ ଜଣକ ଛୁଟିରେ ରହୁଛନ୍ତି, ଲୋକେ ମେଡ଼ିକାଲ ସାମ୍ନାରେ ଥିବା ବେସରକାରୀ ପାଥୋଲୋଜି ସେଂଟର ଗୁଡିକରେ ରକ୍ତ, ମଳ, ମୂତ୍ର, କଫ ପରୀକ୍ଷା କରିବାକୁ ବାଧ୍ୟ ହେବା ସହ ଅଯଥା ଖର୍ଚ୍ଚାନ୍ତ ହେଉଥିବାର ଅଭିଯୋଗ ହେଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହ ସମ୍ପୃକ୍ତ ଲ୍ୟାବ୍ ଟେକନିସିଆନଙ୍କୁ କାର୍ଯ୍ୟରେ ସହଯୋଗ କରିବା ପାଇଁ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଯୋଗାଇଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।