ଭୁବନେଶ୍ୱର – ଓଡିଶାରେ ଓଡିଶା ସରକାର ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍.ପି.ଆର୍.)କୁ କାର୍ଯ୍ୟକାରୀ ନକରିବା ପାଇଁ ଦାବି କରି ଭୁବନେଶ୍ୱରସ୍ଥିତି ମହାତ୍ମାଗାନ୍ଧୀ ମାର୍ଗଠାରେ ଆମେ ଭାରତବାସୀ ତରଫରୁ ଏକ ଗଣଧାରଣା ସଂଗଠିତ ହୋଇଯାଇଛି । ଏସମ୍ପର୍କିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ।
ମୌଲାନା ଅବଦୁଲ କଲାମ ଆଜାଦଙ୍କ ତିରୋଧାନ ଦିବସ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମେ ଭାରତବାସୀ ତରଫରୁ କୁହାଯାଇଛି ଯେ ଏନ୍.ପି.ଆର୍. ହେଉଛି ଜାତୀୟ ନାଗରିକ ପଞ୍ଜିକା ଅର୍ଥାତ୍ ଏନ୍.ଆର୍.ସି. କରିବା ପାଇଁ ପ୍ରାଥମିକ ପଦକ୍ଷେପ । ଏହି ପ୍ରକ୍ରିୟା ଏକ ଗରିବ ରାଜ୍ୟରେ ଆର୍ଥôକ ବୋଝ ସାଙ୍ଗକୁ ସାମାଜିକ ବିଘଟନ ସୃଷ୍ଟି କରିବ । ଅନ୍ୟାନ୍ୟ ଅଣ ବିଜେପି ଶାସିତ ରାଜ୍ୟ ଭଳି ଓଡିଶାରେ ମଧ୍ୟ ଏନ୍.ପି.ଆର୍ କୁ କାର୍ଯ୍ୟକାରୀ ନକରିବା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରାଯାଉ । ଜାତୀୟ ଜନସଂଖ୍ୟ ପଞ୍ଜିକା କୁ ସଂପୂର୍ଣ୍ଣ ଭାବେ ବାତିଲ କରାଯାଉ । ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରେଧାୀ ଓ ଗରିବ ବିରୋଧୀ ନାଗରିକତା ସଂଶୋଧନ ଆଇନ-୨୦୧୯କୁ ପ୍ରତ୍ୟାହାର କରାଯିବା ପାଇଁ ଦାବି କରାଯାଇଛି । ଏହି ଦାବୀ ଉପରେ ଆଜିଠାରୁ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିବ । ମାର୍ଚ୍ଚ ୨୩ ଶହୀଦ୍ ଭଗତ୍ ସିଂ-ଶୁକଦେବ-ରାଜଗୁରୁଙ୍କ ଫାଶୀ ଦିବସରେ ପ୍ରତ୍ୟେକ ଜିଲ୍ଲାରେ ଧାରଣା, ବିକ୍ଷୋଭ ଏବଂ ସତ୍ୟାଗ୍ରହ ସଂଗଠିତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ନରେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି ।