
କେନ୍ଦୁଝର- କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଭୂଇଁପୁର ଗାଁ ପାଖ ନାଳ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାମ ରେବତୀ ମୁଣ୍ଡା । ତାଙ୍କ ଘର ପାରୁଡ଼ିପଶି ଗ୍ରାମରେ । ପରକିୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନେ୍ଦହ କରାଯାଉଛି ।
ରେବତୀଙ୍କ ସ୍ୱାମୀ ନଟବର ମୁଣ୍ଡା ଟ୍ରାକ୍ଟରରେ ଶ୍ରମିକ ଭାବେ କାମ କରନ୍ତି । ସେ କେନ୍ଦିରୀ ମୁଣ୍ଡାଙ୍କ ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରନ୍ତି । ମୃତ ମହିଳା ରେବତୀ ଓ କେନ୍ଦିରୀଙ୍କ ସ୍ୱାମୀଙ୍କ ମଧ୍ୟରେ ରହିଥିବା ଅବୈଧ ସମ୍ପର୍କକୁ ନେଇ ଗତକାଲି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ଆଜି ସକାଳେ ନାଳ ନିକଟରୁ ରେବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ତଂଟି ଚିପି ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡରେ କେନ୍ଦିରୀ ସମ୍ପୃକ୍ତ ଥିବା ସନେ୍ଦହ କରି ପୋଲିସ ତାକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । ପୋଲିସ ମୃତ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପ୍ରାଥମିକ ପର୍ଯ୍ୟାୟରେ ଏ ସଂକ୍ରାନ୍ତରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।