-
ଏମସ୍ ନିର୍ଦ୍ଦେଶିକାଙ୍କୁ ସ୍ମାରକପତ୍ର
-
ନିର୍ଦ୍ଦେଶନାମାକୁ ଭୁଲ୍ ତର୍ଜମା କରାଯାଇଛି : ନିର୍ଦ୍ଦେଶିକା
ଭୁବନେଶ୍ୱର ୨୨ ଫେବୃଆରୀ – ଦକ୍ଷିଣ ଭାରତରେ ଥିବା ଏମସ୍ ଶାଖାମାନଙ୍କରେ ସେମାନଙ୍କ ଆଂଚଳିକ ଭାଷାର ପ୍ରଚଳନ ଥିବା ବେଳେ ଓଡିଶା ଏମସ୍ ରେ ହିନ୍ଦୀ ଭାଷାର ପ୍ରଚଳନକୁ ବିରୋଧ କରିଛନ୍ତି ବିଜେଡି ସାଂସଦ ଓ ବିଧାୟକମାନେ ବିରୋଧ କରିଛନ୍ତି । ଏସମ୍ପର୍କରେ ଶନିବାର ଦିନ ବିଜେଡି ସାଂସଦ ଓ ବିଧାୟକମାନଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ଏବଂ ଏମସ୍ ନିର୍ଦ୍ଦେଶିକାଙ୍କୁ ପୃଥକ୍ ପୃଥକ୍ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏମସ୍ ନିର୍ଦ୍ଦେଶିକା ଗୀତାଂଜଳୀ ବ୍ୟାତମାନବେ ଙ୍କୁ ଭେଟି ଏହି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ହିନ୍ଦୀ ସହ ଓଡିଆ ଭାଷାକୁ ମଧ୍ୟ ସମାନ ଭାବେ ବ୍ୟବହାର କରିବାକୁ ଦାବି କରିଛନ୍ତି ।
ଓଡିଶା ଏକ ଭାଷା ଭିତିକ ରାଜ୍ୟ । ଏହା ଉପରେ ଆଉ ଏକ ଭାଷାକୁ ଲଦି ଦିଆନଯାଉ । କେନ୍ଦ୍ର ସରକାର ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ କରିଛନ୍ତି । ଯଦି କେନ୍ଦ୍ର ସରକାର ଚାହୁଁଛନ୍ତି ହିନ୍ଦୀର ପ୍ରଚାର ପ୍ରସାର କରିବାକୁ ତେବେ କରନ୍ତୁ । ତାହାକୁ ଆମେ ବିରୋଧ କରୁନାହୁଁ । କିନ୍ତୁ ଓଡିଆ ଭାଷାକୁ ଅବହେଳା କରାନଯାଉ । ଏହି ପ୍ରସଙ୍ଗକୁ ଆମେ ପାର୍ଲାମେଂଟରେ ଉଠାଇବୁ ବୋଲି ସାଂସଦ ପିନାକୀ ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଏମସ୍ ନିର୍ଦ୍ଦେଶିକା କହିଛନ୍ତିି ଯେ ହିନ୍ଦୀ କେବଳ ପ୍ରଶାସନିକ ସ୍ତରରେ ବ୍ୟବହାର କରାଯାଉଛି । ରୋଗୀ ମାନଙ୍କ କ୍ଷେତ୍ରରେ ଏହା ବାଧ୍ୟତାମୂଳକ ନୁହେଁ । ଫର୍ମ ପୂରଣ ପାଇଁ ଓଡିଆ ଓ ଇଂରାଜୀ ଭାଷାର ବ୍ୟବହାର ହେଉଛି । ଡାକ୍ତରୀ ଓ ନର୍ସିିଂ ଛାତ୍ରଛାତ୍ରୀଙ୍କୁ ଓଡିଆରେ ପଢାଯାଉଛି । ନିର୍ଦ୍ଦେଶନାମାକୁ ଭୁଲ୍ ତର୍ଜମା କରାଯାଇଛି ।
ଏହି ପ୍ରତିନିଧି ଦଳରେ ସାଂସଦ ଡ. ଅମର ପଟ୍ଟନାୟକ,ସରୋଜିନୀ ହେମ୍ବ୍ରମ୍, ସସ୍ମିତା ସେଠୀ , ଅନୁଭବ ମହାନ୍ତି , ଡ. ସସ୍ମିତ ପାତ୍ର ଏବଂ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ସାମିଲ ଥିଲେ ।