ଭୁବନେଶ୍ୱର- ମହାଶିବରାତ୍ରି ପରେ ଶନିବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଏକ ସ୍ୱେଚ୍ଛାକୃତ ଶ୍ରମଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାଶିବରାତ୍ରିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଛାଡ଼ି ଯାଇଥିବା ଦୀପ, ବେଲପତ୍ର, ଫୁଲ, କୁଡ଼ୁଆ, ପଲିଥିନ୍ ଆଦିକୁ ସ୍ୱେଚ୍ଛାସେବୀମାନେ ପରିଷ୍କାର କରିଥିଲେ । ଏତଦ୍ସହ ମନ୍ଦିରର ଗର୍ଭଗୃହ ଓ ମନ୍ଦିର ପରିସରରେ ଜମା ହୋଇ ରହିଥିବା କୁଢ କୁଢ ବର୍ଜ୍ୟ ଗୁଡ଼ିକୁ ସଫା କରି ବାହାରେ ନେଇ ପକାଇଥିଲେ ।
ଚଳିତବର୍ଷ ମିସିଙ୍ଗ୍ ଫାଉଣ୍ଡେସନ୍, ସୁରେନ୍ଦ୍ର ନାଥ ଜେନା ଟ୍ରଷ୍ଟ, ନୂଆଦିଲ୍ଲୀର ସାମାଜିକ ସଂଗଠନ ‘ଆଶ୍ରା’, ଧଉଳି ଚାରୁକଳା ମହାବିଦ୍ୟାଳୟର ଏନ୍.ଏସ୍.ଏସ୍. ଛାତ୍ରଛାତ୍ରୀ, କସ୍ତୁରବା ଶିକ୍ଷାଶ୍ରମର ସ୍କାଉଟ୍ ଆଣ୍ଡ୍ ଗାଇଡ୍ସ୍, ବି.ଆଇ. ପ୍ରୋଫେସନାଲ୍ସ, ଶ୍ରୀ ସତ୍ୟସାଇ ସେବା ସମିତି, ଭୁବନେଶ୍ୱର ଇତ୍ୟାଦିର ସ୍ୱେଚ୍ଛାସେବୀମାନେ ଏଥିରେ ସାମିଲ୍ ହୋଇଥିଲେ । ସ୍ୱେଚ୍ଛାସେବୀମାନଙ୍କର ଏତାଦୃଶ କାର୍ଯ୍ୟ ଓ ନିରନ୍ତର ସେବାକୁ ଜନସାଧାରଣ ବେଶ୍ ପ୍ରଶଂସା କରିଥିଲେ ।
ଦୀର୍ଘ ୧୮ ବର୍ଷ ଧରି ପରିବେଶ, ପରିମଳ, ଜାତୀୟ ଐତିହ୍ୟ, କୀର୍ତିରାଜିର ସୁରକ୍ଷା ସହ ଆଧ୍ୟାତ୍ମିକ ଚିନ୍ତାଧାରାରେ ସାମିଲ୍ କରିବା ଉଦ୍ଦେଶ୍ୟରେ ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ ନିରନ୍ତର ଓ ନିରବଚ୍ଛିନ୍ନ ଭାବେ ଏହି ଶ୍ରମଦାନ କାର୍ଯ୍ୟକ୍ରମ କରି ଆସୁଛନ୍ତି ।