ସେ କହିଲେ ଯେ, ଦିଲ୍ଲୀରେ ଆମ ଆଦମୀ ପାର୍ଟିର ଐତିହାସିକ ସଫଳତା ପରେ ଦଳ ପ୍ରତି ଲୋକଙ୍କ ଆକର୍ଷଣ ବୃଦ୍ଧି ପାଇଛି । ସାଧାରଣ ଜନତାର ମୌଳିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ଦଳ ପ୍ରତିଶ୍ରୁତିବଦ୍ଧ । ଶିକ୍ଷା, ସ୍ୱାସ୍ଥ୍ୟ ସମେତ ମାଗଣାରେ ବିଜୁଳି, ପାଣି ପହଂଚାଇବା ଓ ବିଭିନ୍ନ ସରକାରୀ ଯୋଜନାକୁ ପ୍ରତି ଘରେ ପହଂଚାଇବା ପାଇଁ ଦଳ ଅଙ୍ଗୀକାରବଦ୍ଧ । ଦିଲ୍ଲୀ ନିର୍ବାଚନରେ ଏହି ସବୁ କାରଣରୁ ଦଳର ସୁପ୍ରିମୋ ଅରବିନ୍ଦ କେଜରିୱାଲ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହୋଇ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ତେବେ କେବଳ ଦିଲ୍ଲୀ ନୁହେଁ ସମଗ୍ର ଦେଶରେ ଏହି ସବୁ ଯୋଜନାର ସଫଳତା ଘରେ ଘରେ ପହଂଚାଇବା ପାଇଁ ଦଳ ଉଦ୍ୟମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଠାରୁ ଅର୍ଥାତ ଫେବୃଆରୀ ୨୩ ତାରିଖରୁ ମାର୍ଚ୍ଚ ୨୩ ତାରିଖ ପର୍ଯ୍ୟନ୍ତ ଓଡିଶାରେ ଏକମାସ ଧରି ରାଷ୍ଟ୍ରନିର୍ମାଣ ଅଭିଯାନ ଆରମ୍ଭ ହେବ । ଏହି ସମୟ ମଧ୍ୟରେ ଲୋକଙ୍କୁ ‘କାମର ରାଜନୀତି’ ବାବଦରେ ବୁଝାଯିବା ସହିତ ଦିଲ୍ଲୀ ଏବଂ ଓଡ଼ିଶାର ବିକାଶର ଏକ ତୁଳନାତ୍ମକ ବିବରଣୀ ଲୋକଙ୍କ ଆଗରେ ଉପସ୍ଥାପନ କରାଯାଇ ସାଧାରଣ ଜନତାଙ୍କ ଜୀବନରେ ପରିବର୍ତନ ଆଣିବାର ଉଦ୍ୟମ କରାଯିବ । ବର୍ତମାନ ଅନେକ ରାଜ୍ୟ ଦିଲ୍ଲୀର ବିକାଶ ମଡ଼େଲକୁ ଗ୍ରହଣ କରୁଛନ୍ତି । କିଛି ରାଜ୍ୟ ଦିଲ୍ଲୀ ପରି ଶିକ୍ଷା ବ୍ୟବସ୍ଥା କରିବାକୁ ଚାହୁଁଥିବା ବେଳେ ଆଉ କିଛି ରାଜ୍ୟ ଦିଲ୍ଳୀର ମହଲ୍ଲା କ୍ଲିନିକକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗ୍ରହଣ କରିଛନ୍ତି । ଏହାର ପ୍ରଭାବ ସାରା ଦେଶରେ ଲୋକମାନଙ୍କ ଉପରେ ପଡ଼ୁୂଛି । ଲୋକେ ଜାତି ଓ ଧର୍ମର ରାଜନୀତି ପ୍ରତି ବିମୁଖ ହେବା ସହ କାମର ରାଜନୀତିକୁ ଆପଣେଇବାରେ ଲାଗିଛନ୍ତି । ଓଡ଼ିଶା ରାଷ୍ଟ୍ର ନିର୍ମାଣ ଅଭିଯାନକୁ ଆଗକୁ ନେବା ପାଇଁ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ପୋଷ୍ଟର ଲଗାଯିବ ଏବଂ ୯୮୭୧୦୧୦୧୦୧ ମୋବାଇଲ ନମ୍ବର ମାଧ୍ୟମରେ ମିସଡ଼୍ କଲ୍ କରିବାକୁ ଅନୁରୋଧ କରାଯିବ । ଏହା ବ୍ୟତୀତ ଦଳର ଜୋନାଲ ସଂଯୋଜକମାନେ ନିଜ ନିଜ ଅଂଚଳରେ ସଚେତନତା ସୃଷ୍ଟି କରିବେ ବୋଲି ଶ୍ରୀ ସାହୁ କହିଛନ୍ତି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆପର ଜିଲ୍ଲା ଆବାହକ ଆନନ୍ଦ ସାମଲ, ଏସଟି ସେଲ ସଭାପତି ଲାଲମଣି ଲୁଗୁନ ପ୍ରମୁଖ ଉପସ୍ଥିତ ଥିଲେ ।