ପୁରୀ – ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ଆକାଶ ଦାସ ନାୟକ ଏକ ନିଆରା ଢ଼ଙ୍ଗରେ ତାଙ୍କ ଜନ୍ମଦିନ ପୁରୀରେ ପାଳନ କରିଛନ୍ତି । ୨୫ ଜଣ ଭିନ୍ନକ୍ଷମ, ଜରାଶ୍ରମର ଅନ୍ତେବାସୀଙ୍କୁ ବସରେ ଆଣି ପ୍ରଥମେ ମେ ଫାୟାର ନିକଟ ସମୁଦ୍ରକୂଳରେ ବୁଲାଇଥିଲେ । ସେଠାରୁ ଶ୍ରୀମନ୍ଦିର ଆସି ପାଶ୍ୱର୍ ଦେବାଦେବୀ ଓ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିବା ପରେ ଆନନ୍ଦ ବଜାରକୁ ଯାଇ ମହାପ୍ରସାଦ ସେବନ କରିଥିଲେ ।
ସେଠାରୁ ଫେରି ସିଂହଦ୍ୱାର ଠାରେ ଶ୍ରୀ ନାୟକ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଥିଲେ ଯେ, ଘରେ ତ ସବୁଦିନ ପରିବାର ସଦସ୍ୟଙ୍କ ସହ ରହୁଛି । କିନ୍ତୁ, ପରିବାର ବାଦ୍ ଅନ୍ୟ ଲୋକଙ୍କ ମୁହଁରେ ହସ ଫୁଟାଇ ପାରିଲେ ଜୀବନ ସାର୍ଥକ ହେବ । ମଦର ଟେରସାଙ୍କ ଆଦର୍ଶ ଅନୁଯାୟୀ ୧୦୦ ନହେଲେ ମଧ୍ୟ ଜଣକ ମୁହଁରେ ହସ ଫୁଟାଇ ପାରିଲେ ତାହା ପର୍ଯ୍ୟାପ୍ତ । ଖୁସି ବାଂଟିଲେ ଖୁସି ବଢେ । ସମସ୍ତେ ଖୁସିରେ ରହିଲେ ଜୀବନଟା ଖୁସି ଲାଗିବ । ଭୁବନେଶ୍ୱର ଶ୍ରୀକ୍ରିଷ୍ଣା ଜରାଶ୍ରମର ୨୦ ଜଣ ଅନ୍ତେବାସୀ, ଉଇ ଫର ୟୁର ୫ ଜଣ, ଆକାଶଙ୍କ ପତ୍ନୀ ଶୁଭ୍ରାଜ୍ୟୋତି ପ୍ରମୁଖ ଏହି ଟିମ୍ ରେ ସାମିଲ ହୋଇଥିଲେ ।