ପୁରୀ- ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ଜାଗର ଯାତ୍ରାରେ ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ପ୍ରଭୁଙ୍କୁ ଦର୍ଶନ କରି ଜାଗରପର୍ବ ପାଳନ କରିଛନ୍ତି । ଶୁକ୍ରବାର ସକାଳୁ ମନ୍ଦିର ସମ୍ମୁଖରେ ପ୍ରବଳ ଗହଳି ହେବା ସହ ବ୍ୟାରିକେଡ ଯୋଗେ ଶ୍ରଦ୍ଧାଳୁମାନେ ଯାଇ ପ୍ରଭୁ ଶ୍ରୀ ଲୋକନାଥଙ୍କୁ ଦର୍ଶନ କରି ପାଦୁକ ସେବନ କରି ଫେରୁଥିବା ଦେଖାଯାଇଥିଲା । ଜାଗରଦିନ ଉପବାସ ରହି ଦୀପ ଜାଳିଲେ ପ୍ରଭୁ ଶ୍ରୀ ଲୋକନାଥ ଭକ୍ତଙ୍କ ଡାକ ଶୁଣନ୍ତି ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଅନେକ ଭକ୍ତ ମାନସିକ ଯାଚଙ୍ଗା ଦେବା ସହ ଚୂଡାଘଷା ଭୋଗକରି ଫେରୁଥିବା ଲକ୍ଷ୍ୟ କରାଯାଇଥିଲା । ମନ୍ଦିରର ଚାରିପଟେ ବିଭିନ୍ନ ଦୋକାନ, ଖଜା ଦୋକାନ, ଦୀପଦୋକାନ, ଚଣାପସରା ଓ ଶିଶୁମାନଙ୍କ ପାଇଁ ଖେଳନା ସାମଗ୍ରୀ, ଘର ସରଞ୍ଜାମ ଓ କାଠ ସାମଗ୍ରୀ, ଲୁହା ଓ ବାସନ କୁସନ ଦୋକାନ ଖୋଲିଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଶ୍ରୀ ଲୋକନାଥଙ୍କ ମନ୍ଦିର ଓ ପାଶ୍ୱର୍ମନ୍ଦିର ଗୁଡିକରେ ଆକର୍ଷଣୀୟ ଫୁଲସଜ୍ଜା ହୋଇଥିବା ଦେଖିବାକୁ ମିଳିଥିଲା ।
ମଙ୍ଗଳଆଳତୀ, ଅବକାଶ ଓ ସୂର୍ଯ୍ୟପୂଜା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଏହି ଦର୍ଶନ ଶୁକ୍ରବାର ରାତି ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ରାତି ୨ଟାରେ ହରିହର ଭେଟ, ପୂଜାଭୋଗ ସଂପନ୍ନ, ଚତୁର୍ଦ୍ଦଶୀ ଭୋଗ, ବଡସିଂହାର ଭୋଗ ଓ ପରେ ବିଳମ୍ବିତ ରାତିରେ ମହାଦୀପ ଉଠିଥିଲା । ଶ୍ରଦ୍ଧାଳୁମାନେ ବ୍ୟାରିକେଡରେ ଶୃଙ୍ଖଳିତ ଭାବେ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିବା ଦେଖାଯାଇଥିଲା । ଭକ୍ତମାନେ ଫୁଲ, ଚନ୍ଦନ, ଧୂପ, ଦୀପ ଓ ନୈବେଦ୍ୟ ସହ ମନ୍ଦିର ଭିତରେ ଭୋଗ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ଶ୍ରୀକ୍ଷେତ୍ରର ପଂଚ ମହାଦେବ ଶ୍ରୀଜମ୍ବେଶ୍ୱର, ଶ୍ରୀକପାଳମୋଚନ, ଶ୍ରୀନୀଳକଣ୍ଠେଶ୍ୱର ଓ ଶ୍ରୀମାର୍କେଣ୍ଡଶ୍ୱରଙ୍କ ମନ୍ଦିରରେ ଭକ୍ତମାନଙ୍କ ଗହଳି ଲାଗିରହିଥିଲା । ଶ୍ରୀଲୋକନାଥଙ୍କ ପୀଠରେ ସବୁଠାରୁ ବୃହତମ ଦୀପ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ଶ୍ରୀଲୋକନାଥ ଦେବ ଟ୍ରଷ୍ଟବୋର୍ଡ ପକ୍ଷରୁ ଧାଡି ଦର୍ଶନ ପାଇଁ ୪ ହଜାର ଟିକେଟ ବିକ୍ରି ହୋଇଥିଲା । ପ୍ରତି ଟିକେଟର ମୂଲ୍ୟ ୧୦୦ଟଙ୍କା ରଖାଯାଇଥିଲା । ମନ୍ଦିର ଭିତରେ ଭକ୍ତମାନଙ୍କୁ ଠାରୁ ଅଧିକ ଅର୍ଥ ନନେବା ପାଇଁ ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଥିଲେ ।
ପୁଲିସର ବ୍ୟାପକ ସୁରକ୍ଷା ବ୍ୟବସ୍ଥା : ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏସପି ଡା. ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ୫୦ ଜଣ ଅଭିଜ୍ଞ ପୁଲିସ ଅଫିସର ନିୟୋଜିତ ହୋଇଥିଲେ । ୨୨ ସେକ୍ସନ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ରହିଥିଲେ । ଏହାସହ ୨ ଜଣ ଏଏସପି, ୨ ଜଣ ଡିଏସପି, ୧୧ ଜଣ ଆଇଆଇସି, ୪୬ ଜଣ ଏଏସଆଇ ଓ ଏସଆଇ, ୧୪ ଜଣ ଟ୍ରାଫିକ ପୁଲିସ, ୯୨ ଜଣ କନଷ୍ଟେବଳ ଓ ୨୦୭ ଜଣ ହୋମଗାର୍ଡ ନିୟୋଜିତ ହୋଇଥିଲେ । ଏହାସହ ସାଧା ପୋଷାକଧାରୀ ପୁଲିସ ବିଭିନ୍ନ ସ୍ଥାନରେ ବୁଲୁଥିବା ଦେଖିବାକୁ ମିଳିଥିଲା । ମେଳା ପଡିଆ ଚାରିପଟେ ପୁଲିସମାନେ ଜଗି ରହିଥିଲେ ।