ରାଉରକେଲା- ଆଜି ମହାଶିବରାତ୍ରୀରେ ସକାଳୁ ଶିବ ଦର୍ଶନଲାଗି ଯାଇଥିବା କିଛି ଭକ୍ତ ପାହାଡ଼ ଉପରେ ଥିବା ଏକ ବିଶାଳ କାୟ ପଥର ସହ ସେଲଫି ନେବା ବେଳେ ଅଘଟଣ ଘଟି ପାଖା ପାଖି ୧୬ ଜଣ ମହିଳା ପୁରୁଷ ଓ ଛୋଟ ଛୁଆ ଆହତ ହୋଇଥିବା ଜଣାପଡିଛି । ଘଟଣା ଘଟିଛି ରାଉରକେଲାରୁ ପ୍ରାୟ ୭୦ କିମି ଦୂରରେ । ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା-ନୂଆଗାଁର ପୁଟ୍ରିଖମନ ସିମାନ୍ତ ଅଂଚଳରେ ଘଟିଛି ଏଭଳି ଏକ ଅଘଟଣ ।
ଆଜି ଦିନ ପ୍ରାୟ ୧୧ଟା ସମୟରେ ପୁଟ୍ରିଖମନ ସିମାନ୍ତରେ ଥିବା ଜଟିଆ ପାହାଡ଼ ସ୍ଥିତ ଶିବ ମନ୍ଦିରରେ ଭକ୍ତଙ୍କର ଭିଡ଼ ଲାଗିଥିଲା । ଭକ୍ତ ସେଠାକାର ମନ୍ଦିରକୁ ଯିିବା ସହ ଠାକୁର ଦର୍ଶନ ପରେ ସେହିପାହାଡର ସୌନ୍ଦର୍ଯ୍ୟର ମଜା ମଧ୍ୟ ନେଇଥାନ୍ତି, ଫଟୋ ଉଠାଇଥାନ୍ତି, ସେଲଫି ନେଇଥାନ୍ତି । ଶିବ ଦର୍ଶନ ଲାଗି ଏଠାରେ ବିଭିନ୍ନ ସମୟରେ ପ୍ରବଳ ଭିଡ଼ ହେଉଥିଲେ ମଧ୍ୟ ଶାସନକଳ ପକ୍ଷରୁ ଏଠାରେ ସେଭଳି କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନାହିଁ । ଅଜି ଅନେକ ପରିବାର ପିଲା ଛୁଆ ଧରି ମନ୍ଦିର ଦର୍ଶନ ପରେ ପାହାଡର ଶିର୍ଶକୁ ପାଖା ପାଖି ୨୦ଜଣ ଯାଇ ସେଠାରେ ଥିବା ଏକ ବଡ ପଥର ସହ ଓ ତା ଉପରେ ଚଢି ସେଲଫି ନେଉଥିଲେ । ତେବେ ହଠାତ ପଥରଟି ତଳକୁ ଖସିବା ଆରମ୍ଭ କରିବା ସହ ଖଣ୍ଡ ବିଖଣ୍ଡ ହୋଇ ମନ୍ଦିର ଆସୁଥିବା ଓ ଯାଉଥିବା ଲୋକଙ୍କୁ ଆହତ କରିଥିଲା ।ଏହି ଖବର ପ୍ରଚାର ହେବା ପରେ ସେଠାରେ କିଛି ଲୋକ ପହଁଚି ଆହତ ମାନଙ୍କୁ ପ୍ରଥମେ ହାତୀବାଡି ଡାକ୍ତରଖାନା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ଲାଗି ନେଇଥିଲେ । ଖବର ପାଇ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଘଟଣାସ୍ଥଳରେ ପହଁଚି ଥିବା ବେଳେ ରାଉରକେଲା ବିଧାୟକ ସାରଦା ନାୟକ ମଧ୍ୟ ଆହତ ଓ ଗୁରୁତର ମାନଙ୍କୁ ଭେଟିଛନ୍ତି । ଡ଼ାକ୍ତରଙ୍କ ଠାରୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ।