ବାରିପଦା- ଶିବ ଆରାଧନା ନିମନ୍ତେ ସପ୍ତାହର ପ୍ରତ୍ୟେକ ସୋମବାର ସହିତ ସମସ୍ତ ପକ୍ଷର ଚତୁର୍ଦ୍ଦଶୀ ତିଥି ଓ ଶିବ ରାତ୍ରି ସର୍ବୋତ୍କୃଷ୍ଟ ସମୟ । ମହାଶିବ ରାତ୍ରି ଚତୁର୍ଦ୍ଦଶୀ କିମ୍ବା କୁମ୍ଭ ମାସ କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପଡ଼େ ଏବଂ ସମସ୍ତ ବିଧି ରକ୍ଷା ପୂର୍ବକ ନିଷ୍ଠାର ସହ ଶିବଙ୍କ ଆରାଧନା କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଶିବ ମଙ୍ଗଳ ମୟ, ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର ସହିତ ଚଣ୍ଡାଳଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତଙ୍କ ମନସ୍କାମନାକୁ ପୂରଣ କରୁଥିବାରୁ ମହାଶିବ ରାତ୍ରିରେ ଶିବ ଉପାସନା ନିଷ୍ଠାର ସହିତ କଲେ ଭୋଳାନାଥଙ୍କ କୃପା ଲାଭ ହୋଇଥାଏ । ଏଥିସହିତ ଭକ୍ତି ଭାବରେ ମାନସିକ କଲେ ତାହା ପୂରଣ ହେଉଥିବାର ବିଶ୍ୱାସ ରହିଆସିଛି ।
ଫେବୃଆରୀ ୨୧ ଶୁକ୍ରବାର ମହାଶିବ ରାତ୍ରି ଉପଲକ୍ଷେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଥିବା ସମସ୍ତ ଶୌବପୀଠ ଗୁଡ଼ିକ ଲକ୍ଷାଧିକ ଭକ୍ତମାନଙ୍କ ସମାଗମ ହେବା ସାଙ୍ଗକୁ ଶିବ ଆରାଧନାରେ ପ୍ରକମ୍ପିତ ଓ ଦୀପମୟ ହୋଇ ଉଠିଥିଲା । ମହିଳା ଭକ୍ତମାନେ ସୁରୁଖୁରୁରେ ଜାଗର ଜାଳି ପାରିବା ନିମନ୍ତେ ସଦର ମହକୁମା ବାରିପଦା ସହ ଜିଲ୍ଲାର ସମସ୍ତ ଶୌବ ପୀଠ ସମ୍ମୁଖରେ ଛାମୁଡ଼ିଆମାନ ନିର୍ମାଣ କରାଯାଇଥିବାର ପରିଲକ୍ଷିତ ହୋଇଥିଲା ।
ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମହାରାଜାମାନଙ୍କ ଶାସନ ସମୟରେ ନିର୍ମିତ ବାରିପଦା ସହରର ବାରୁଣୀଘାଟସ୍ଥିତ ବାରୁଣେଶ୍ୱର ଶୈବପୀଠରେ ଶୁକ୍ରବାର ପ୍ରତ୍ୟୁଷରୁ ମହିଳା ଓ ପୁରୁଷ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିିଥିଲା । ବାରିପଦା ପୌରବାସୀଙ୍କ ସହ ଜିଲ୍ଲାକୁ ସଂଯୋଗ କରୁଥିବା ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ବହୁ ସଂଖ୍ୟାରେ ଶୈବ ଭକ୍ତମାନେ ଏହି ମନ୍ଦିରକୁ ପୂଜାର୍ଚ୍ଚନା ନିମନ୍ତେ ଆସିଥିବାର ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଜନ ସମାଗମ ଦେଖା ଦେଇଥିଲା । ଶୈବପୀଠର ବାହାରେ ଜାଗର ଉପଲକ୍ଷେ ଶତାଧିକ ଉଠା ଦୋକାନୀମାନଙ୍କ ଭିଡ଼ ଜମି ଥିଲା । ଜନଗହଳିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।
ସେହିପରି ବାରିପଦା ସହରର ଉପକଣ୍ଠରେ ବୁଢ଼ାବଳଙ୍ଗ, ଚିପଟ ଓ ଇଟାଯୋଡ଼ି ନଦୀର ସଂଗମସ୍ଥଳୀରେ ଅବସ୍ଥିତ ଓ ଦକ୍ଷିଣାବର୍ତି ତନ୍ତ୍ରପୀଠ ଭାବରେ ପରିଚିତ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ବୁଢ଼ାରାଉଳ ମହାଦେବ ବା ଧ୍ୱନୀ ମଠରେ ମହାଶିବ ରାତ୍ରି ଉପଲକ୍ଷେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା, ଯଜ୍ଞ ଓ ହୋମ ଆଦି ଆୟୋଜିତ ହୋଇଥିଲା । ମନ୍ଦିରର ପରିଚାଳନା ନିମନ୍ତେ ଗଠିତ ସ୍ୱତନ୍ତ୍ର ଟ୍ରଷ୍ଟି ଜାଗର ଉପଲକ୍ଷେ ଭକ୍ତମାନଙ୍କ ନିମନ୍ତେ ସମସ୍ତ ପ୍ରକାରର ସୁବିଧା ସୁଯୋଗର ବ୍ୟବସ୍ଥା ଉପଲବ୍ଧ କାରଣରୁ ଏଠାରେ ମହିଳା ଭକ୍ତମାନଙ୍କର଼ ଅଧିକ ଭିଡ଼ ଜମିଥିଲା । ଏହାବ୍ୟତୀତ ରାତିରେ ସହରର ଟ୍ରାଫିକ ଛକ ନିକଟସ୍ଥ ତ୍ରିବିକ୍ରମେଶ୍ୱର ମନ୍ଦିର, ବେଲଗଡ଼ିଆ ପଂଚାନନ ଶିବ ମନ୍ଦିର, ପୁଲିସ ଲାଇନ ମହାଦେବ ମନ୍ଦିର, ତକତପୁର ପାତାଳେଶ୍ୱର ମନ୍ଦିର, ବାଘଡ଼ାରୋଡ଼ ଓ ଭଞ୍ଜପୁରସ୍ଥିତ ଭଞ୍ଜେଶ୍ୱର ମନ୍ଦିର, ଶ୍ରୀ ଅମ୍ବିକେଶ୍ୱର ମହାଦେବ, ଝିଞ୍ଜିରୀ ବନ୍ଧ ଶ୍ରୀ ଲୋକେଶ୍ୱର ମନ୍ଦିର, ମୁର୍ଗାବାଡ଼ି ମହାଦେବ ମନ୍ଦିର, ଭୁଗୁଡ଼ାକଟାର ଆଖଣ୍ଡଳ ମନ୍ଦିର, କାଳୀ ମନ୍ଦିର ସାହି ଶ୍ମଶାନେଶ୍ୱର ଶିବ ମନ୍ଦିର, ଧବଳେଶ୍ୱର, କାମେଶ୍ୱର, ପାତାଳେଶ୍ୱର, ଯଜେ୍ଞଶ୍ୱରାଇ ମନ୍ଦିର, କପାଳଲୋଚନ, ବଟେଶ୍ୱର, ଚମ୍ପକେଶ୍ୱର ମନ୍ଦିର, ଅଷ୍ଟ ଲିଙ୍ଗେଶ୍ୱର, ଷ୍ଟେସନ ବଜାର, କେ.ସି.ସାର୍କଲ, ଚାପଲ ପୋଖରୀ, ହେମସାଗର ପୋଖରୀ ଓ ରାଜପ୍ରାସାଦ ପରିସରରେ ଥିବା ସମସ୍ତ ଶୈବପୀଠ ସହିତ ମା ଅମ୍ବିକା ମନ୍ଦିର, ଶ୍ରୀ ଶ୍ରୀ ହରିବଳଦେବ ଜୀଉ ବିଜେ ବାରିପଦାକଙ୍କ ମନ୍ଦିର, ରାଣୀ ସତୀ, ଶୀତଳା, ରାଧାମୋହନ ଓ ବାବା ଶିରିଡ଼ି ସାଈ ଆଦି ବିଭିନ୍ନ ମନ୍ଦିର ଗୁଡ଼ିକରେ ଲକ୍ଷାଧିକ ମହିଳା ଭକ୍ତ ସାରା ରାତ୍ରି ଉଜାଗର ରହି ଜାଗର ଦୀପ ଜାଳିଥିବା ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସମାରୋହର ମଧ୍ୟ ଆୟୋଜିତ ହୋଇଥିଲା । ଆଜିର ଏହି ପବିତ୍ର ଦିନରେ ସମଗ୍ର ମୟୂରଭଞ୍ଜ ଶିବ ଓ ଦୀପମୟ ହେବା ସାଙ୍ଗକୁ ଶିବଙ୍କ ଆରାଧନା ପରିବେଶକୁ ଏକ ଧାର୍ମିକ ଭାବନାରେ ଉତ୍ସବ ମୁଖରିତ କରି ଦେଇଥିଲା ।
ସେହିପରି ମୟୂରଭଞ୍ଜ ଜିଲ୍ଲାର ଖିଚିଂ, ମାଣତ୍ରିର ବାବା କଖାରୁଆ ବୈଦନାଥ ପୀଠ, କପ୍ତିପଦା ଅଂଚଳରେ ଥିବା ଝିକଂପଦାର ବାବା ଝିଙ୍କେଶ୍ୱର, ବାଙ୍ଗିରିପୋଷି ସିିମିଳାର ସିମେଳେଶ୍ୱର, ଝାରପୋଖରୀଆର ଲୋକନାଥ ମହାଦେବ ପୀଠ, କାଲାଝିନେଇର ଶୈବପୀଠ, ଚିତ୍ରଡ଼ା, କୋହି, ଗଡ଼ିଆ, ଚଡ଼େଇଗାଁ, ମୋରଡ଼ା, ଛୋଟରାୟପୁର, ପାରିଆକୁଲି, ପଳାସମୁଣ୍ଡଳି, କମାରଡ଼ିହା, ଜାମଶୋଳ, ଶୀର୍ଷା ଓ ଦେବଶୋଳ ଆଦି ବିଭିନ୍ନ ପ୍ରସିଦ୍ଧ ଶୈବପୀଠମାନଙ୍କରେ ଅନୁଷ୍ଠିତ ଜାଗର ମେଳାରେ ଲକ୍ଷାଧିକ ଭକ୍ତମାନେ ଶିବଙ୍କୁ ଆରାଧନା କରିଥିବା ଖବର ହସ୍ତଗତ ହୋଇଛି ।
ଦେବଶୋଳର ବାବା ବୁଦ୍ଧେଶ୍ୱରପୀଠକୁ ନେଇ ରହିଥିବା ଜନଶ୍ରୁତି ଆଧାରରେ ସ୍ଥାନୀୟ ଅଂଚଳର କାରୁ ମାଝି ନାମକ ଏକ ବ୍ୟକ୍ତିଙ୍କ ଗାଈ ଗୋଠରେ ରହି ଘରକୁ ଫରିବା ପରେ ତା ନିକଟରୁ ପ୍ରତ୍ୟେକ ଦିନ କ୍ଷୀର ହରଣ ହୋଇଯାଉଥାଏ । ଏହି କ୍ଷୀର ହରଣର ରହସ୍ୟ ଜାଣିବା ନିମନ୍ତେ କାରୁ ଗୋରୁ ଗୋଠକୁ ଅନୁସରଣ କରି ପଛେ ପଛେ ଆସି ଗାଈଠାରୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ କ୍ଷୀର ଆପେ ଆପେ ଝରି ପଡ଼ୁ ଥିବାର ଦୃଶ୍ୟ ଦେଖିବାକୁ ପାଇଥିଲା । ଖବରଟି ଗ୍ରାମବାସୀଙ୍କ ନିକଟରେ ପହଁଚାଇବା ପରେ ସ୍ଥାନୀୟ ସର୍ଦ୍ଦାର ଗୋପିନାଥ ପଟ୍ଟନାୟକ, ଗାଁ ପ୍ରଧାନ ଦ୍ୱାରିକା ମୋହନ ରାଉତଙ୍କ ସହିତ ଅନ୍ୟ ଗ୍ରାମବାସୀମାନେ ଆସି ଏହି ଦୃଶ୍ୟକୁ ଦେଖିବା ପରେ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ଖନନ କରିବା ପରେ ସେଠାରୁ ହରପାର୍ବତୀଙ୍କ ମୂର୍ତି, ଶିବ ଲିଙ୍ଗ ଆଦି ବାହାରିବା ପରେ ୧୯୧୮ରେ ଉକ୍ତ ସ୍ଥାନରେ ମୂର୍ତିକୁ ପ୍ରତିଷ୍ଠା କରାଯାଇ ବେଦଶୋଳ ବାବା ବୁଦ୍ଧେଶ୍ୱର ନାମରେ ଶିବ ଲିଙ୍ଗ ପୂଜା ପାଇଆସୁଛନ୍ତି । ସେହିପରି କପ୍ତିପଦା ବ୍ଲକର ପୁତ୍ରଦାତା ଭାବେ ପ୍ରସିଦ୍ଧିଲାଭ କରିଥିବା ଝିଙ୍କପଦାର ଝିଙ୍କେଶ୍ୱରକୁ ୧୮୩୦ରେ କପ୍ତିପଦା ମହାରାଣୀ ଲାବଣ୍ୟ ମଞ୍ଜରୀ ଦେବୀ ପ୍ରତିଷ୍ଠା କରିଥିଲେ । ବାବା ଝିଙ୍କେଶ୍ୱରଙ୍କୁ ମାନସିକ ସହ ପୂଜାର୍ଚ୍ଚନା କଲେ ପୁତ୍ର ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ଜନସାଧାରଣ ବିଶ୍ୱାସ ରହିଥିବା ବେଳେ ଜିଲ୍ଲାର ଦେବଶୋଳ, ଝିଙ୍କେଶ୍ୱର, ଶିମିଳେଶ୍ୱର ଆଦି ଶୈବପୀଠଗୁଡ଼ିକରେ ଜାଗର ମେଳା ୧୫ ଦିନରୁ ଅଧିକ ଦିନ ଧରି ଚାଲିଥାଏ ।