ଭୁବନେଶ୍ୱର – ରାଜ୍ୟରେ ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ରାଜ୍ୟର ୬୮ଟି ବ୍ଲକ ଏହି ଲକ୍ଷ୍ୟ ଛୁଇଁ ପାରିନାହିଁ । ରାଜ୍ୟରେ ୩୫ ପ୍ରତିଶତ ଜଳସେଚନ କରାଯିବା ପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର କୌଣସି ସ୍ୱତନ୍ତ୍ର ଅର୍ଥର ବ୍ୟବସ୍ଥା ନଥିବା ଜଣାପଡିଛି ।
ବିଧାୟକ ମୋହନ ଚରଣ ମାଝୀଙ୍କ ଏ ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଉତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସୂଚନା ଅନୁଯାୟୀ ୨୦୧୯ ଡିସେମ୍ବର ଶେଷସୁଦ୍ଧା ରାଜ୍ୟରେ ୨୪୫ ବ୍ଲକରେ ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ଅବଶିଷ୍ଟ ୬୮ଟି ବ୍ଲକରେ ଏହି ଲକ୍ଷ୍ୟ ପୁରଣ ପାଇଁ ପ୍ରୟାସ ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୩୫ ପ୍ରତିଶତରୁ କମ ଜଳସେଚନ ହୋଇଥିବା ଜିଲା ଗୁଡିକ ମଧ୍ୟରୁ କନ୍ଧମାଳରେ ସର୍ବାଧିକ ୯ଟି ବ୍ଲକ ରହିଛି । ମୟୁରଭଞ୍ଜ ଜିଲାରେ ୮ଟି ଥିବା ବେଳେ କେଉଁଝରରେ ୭ଟି ବ୍ଲକ ରହିଛି । ସେହିପରି ସୁନ୍ଦରଗଡ ଜିଲାରେ ୬ଟି ବ୍ଲକ ୩୫ ପ୍ରତିଶତରୁ କମ୍ ଜଳସେଚିତ ଥିବାବେଳେ ନବରଙ୍ଗପୁର, କୋରାପୁଟ, ବଲାଙ୍ଗୀର ଜିଲାରେ ୫ଟି ଲେଖାଏଁ ବ୍ଲକରେ ଏହି ସମସ୍ୟା ରହିଛି । ଅନ୍ୟାନ୍ୟ ଜିଲାରେ ମଧ୍ୟ କିଛି ବ୍ଲକରେ ଜଳସେଚନ ସୁବିଧା ୩୫ ପ୍ରତିଶତ ନଥିବା ରିପୋର୍ଟରୁ ଜଣାପଡିଛି । ବିଶେଷ କରି ଅନୁସୂଚୀତ ଜନଜାତିବହୁଳ ଅଂଚଳରେ ୩୫ ପ୍ରତିଶତ ଜଳସେଚନ ହୋଇ ନଥିବାରୁ ଶ୍ରୀ ମାଝୀ ଉଦ୍ବେଗ ପ୍ରକାଶ କରିବା ସହ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ।