ଭୁବନେଶ୍ୱର – ରାଜ୍ୟର ମୁଣ୍ଡ ପିଛା ଆୟ ଜାତୀୟ ହାର ତୁଳନାରେ କମ୍ ରହିଛି । ୨୦୧୯-୨୦ର ସର୍ବଶେଷ ରିପୋର୍ଟ ଅନୁଯାୟୀ ଜାତୀୟ ମୁଣ୍ଡ ପିଛା ଆୟ ୧,୩୫,୦୫୦ଟଙ୍କା ହୋଇଥିବା ବେଳେ ରାଜ୍ୟରେ ଏହି ହାର ୧,୦୧,୫୮୭ ଟଙ୍କା ରହିଛି । ଜାତୀୟ ହାରକୁ ରାଜ୍ୟ ମୁଣ୍ଡ ପିଛାହାର କେବେ ଟପିବ ସେସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଆକଳନ ହୋଇନଥିବା ଜଣାପଡିଛି ।
ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ଦେଇଥିବା ସୂଚନା ଅନୁଯାୟୀ ୨୦୧୮-୧୯ରେ ଓଡିଶାର ଏହି ହାର ୯୫୧୫୪ ଥିଲା । ସେହି ବର୍ଷ ଗୋଆରେ ମୁଣ୍ଡ ପିଛା ହାର ସର୍ବାଧିକ ୪,୬୭,୯୯୮ ଟଙ୍କା ରହିଥିବା ବେଳେ ତାତଳକୁ ରହିଥିଲା ଦିଲ୍ଲୀ । ସେଠାରେ ଏହି ହାର ୩,୬୫,୫୨୯ ଥିବା ବେଳେ ତୃତୀୟରେ ସିକିମ ଥିଲା । ଯେଉଁଠାରେ ଏହି ହାର ୩,୫୭,୬୪୩ ଥିଲା । ସେହି ବର୍ଷ ମୁଣ୍ଡ ପିଛା ଆୟରେ ଓଡିଶା ୧୮ତମ ସ୍ଥାନରେ ରହିଥିଲା । ୨୦୧୯-୨୦ ବର୍ଷର ଅନ୍ୟ ରାଜ୍ୟର ତଥ୍ୟ ମିଳିପାରି ନଥିବା ମନ୍ତ୍ରୀଙ୍କ ରିପୋର୍ଟରୁ ଜଣାପଡିଛି । ମୁଣ୍ଡ ପିଛା ଆୟ କମ୍ କୁ ନେଇ ଶ୍ରୀ ମାଝୀ କ୍ଷୋଭ ପ୍ରକାଶ କରିଛନ୍ତି ।