-
ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ
ଭୁବନେଶ୍ୱର – ପୁଲିସ ଠାରୁ ନ୍ୟାୟ ନପାଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ ନିଆଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିବା ବ୍ରହ୍ମପୁର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଯଦି ସରକାର ଓ ପ୍ରଶାସନ ସଂବେଦନଶୀଳ ହୋଇ ତାଙ୍କ ଅଭିଯୋଗ ଶୁଣି ଥାନ୍ତେ ତେବେ ଆଜି ମିନାକ୍ଷୀଙ୍କ ମୃତ୍ୟୁ ହୋଇନଥାନ୍ତା । ଏଭଳି ଅଭାବନୀୟ ଘଟଣା ପାଇଁ ରାଜ୍ୟସରକାର, ଗୃହ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅଭିଯୋଗ କରିଛନ୍ତି ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇ ଅପରାଧୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।
ବିଜେଡି ନେତ୍ରୀ ପ୍ରଶାସନ ପାଖରୁ ନ୍ୟାୟ ନପାଇ ଆତ୍ମହତ୍ୟା କରି ଜୀବନ ହାରିବା ଘଟଣା ସମଗ୍ର ନାରୀ ଜାତିକୁ ଅପମାନିତ କରିଛି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଏଥିରେ ମର୍ମାହତ ହୋଇଛି । ରାଜ୍ୟ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ଫେଲ୍ ମାରିଛନ୍ତି । ପୀଡିତାଙ୍କ ସମସ୍ୟା ଶୁଣିବା ପାଇଁ ପୋଲିସ ପ୍ରଶାସନ ପାଖରେ ସମୟ ନାହିଁ । ବିଜେଡି ନେତ୍ରୀଙ୍କ କଥା ଯଦି ପ୍ରଶାସନ ଶୁଣୁ ନାହାଁନ୍ତି ତେବେ ୫-ଟି, ମୋ ସରକାରରେ ସାଧାରଣ ଲୋକ କିପରି ନ୍ୟାୟ ପାଉଥିବେ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି । ରାଜ୍ୟରେ କୌଣସି ଘଟଣା ଘଟିଲା ପରେ ପୋଲିସ ଉଦାସୀନ ମନୋଭାବ ଦେଖାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ପରିଡା କହିଛନ୍ତି ।