ନୂଆଦିଲ୍ଲୀ। ମହନ୍ତ ନୃତ୍ୟ ଗୋପାଳ ଦାସ ଟ୍ରଷ୍ଟର ଅଧ୍ୟକ୍ଷ ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟ ଟ୍ରଷ୍ଟର ସାଧାରଣ ସମ୍ପାଦକ ମନୋନୀତ କରାଯିବାକୁ ବିଶ୍ୱ ହିନ୍ଦୁ ପରିଷଦ ସ୍ୱାଗତ କରିଛି । ଏହା ଦ୍ୱାରା ମନ୍ଦିର ନିର୍ମାଣ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ବିଶ୍ୱାସ କରୁଛି ବୋଲି ପରିଷଦର ଆନ୍ତର୍ଜାତିକ କାର୍ଯାଧ୍ୟକ୍ଷ ଆଲୋକ କୁମାର ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ବୁଧବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠିତ ହୋଇଥିବା ବେଳେ ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏଥିରେ ମହନ୍ତ ନୃତ୍ୟ ଗୋପାଳ ଦାସ ଟ୍ରଷ୍ଟର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟ ଟ୍ରଷ୍ଟର ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି। ବୈଠକରେ ଟ୍ରଷ୍ଟର ଆଗାମୀ ବୈଠକ ଅଯୋଧ୍ୟାରେ ଆୟୋଜନ ଲାଗି ନିଷ୍ପତ୍ତି ହୋଇଥିବା ବେଳେ ସେଠାରେ ମନ୍ଦିର ନିର୍ମାଣର ରୂପରେଖ ଚୂଡାନ୍ତ ହେବ ବୋଲି କୁହାଯାଇଛି।
ଟ୍ରଷ୍ଟ ଗଠନ ଲାଗି ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ହୋଇଛି। ଏଥିରେ ପ୍ରଥମେ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ମନୋନୟନ ପରେ ରାମମନ୍ଦିର ନିର୍ମାଣ ସମିତି ଗଠନ ଲାଗି ନିଷ୍ପତ୍ତି ହୋଇଛି। ଏହି ସମିତିର ଅଧ୍ୟକ୍ଷ ଭାବେ ପୂର୍ବତନ ପ୍ରଶାସକ ନୃପେନ୍ଦ୍ର ମିଶ୍ର ମନୋନୀତ ହୋଇଛନ୍ତି। ସେହିପରି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଅଯୋଧ୍ୟା ଶାଖାରେ ଟ୍ରଷ୍ଟର ଖାତା ଖୋଲିବା ଲାଗି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।