ଭୁବନେଶ୍ୱର – ପୌରାଂଚଳରେ ସଡକ ଆଲୋକୀକରଣ ଆବଶ୍ୟକତା ନେଇ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଆଜି ପୂର୍ବାହ୍ନରେ ସମୀକ୍ଷା କରିଛନ୍ତି ।
ସହରାଂଚଳଗୁଡ଼ିକର ଦ୍ରୁତ ବିକାଶ ହେଉଥିବା ଯୋଗୁଁ ସାର୍ବଜନୀନ ସଡ଼କ ଆଲୋକୀକରଣ ଆବଶ୍ୟକତା ଅନେକ ପରିମାଣରେ ବୃଦ୍ଧି ପାଇଛି । ଏହି ଆବଶ୍ୟକତାକୁ ଲକ୍ଷ୍ୟ ରଖି ସଡ଼କ ଆଲୋକୀକରଣ ବ୍ୟବସ୍ଥାର ବିକାଶ ନିମନ୍ତେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ମଧ୍ୟ ଦେଇଛନ୍ତି । ଏହି ଅ ।ବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ରାଜ୍ୟର ସମସ୍ତ ୧୧୪ଟି ପୌରାଂଚଳରେ ୩ଟି ନୂତନ ଏଲ୍ଇଡି ଲାଇଟ୍ ପ୍ରକଳ୍ପକୁ ଆରମ୍ଭ କରାଯାଇଥିବା ସମୀକ୍ଷାରୁ ଜଣାଯାଇଛି । ଏହି ବ୍ୟବସ୍ଥା ଯୋଗୁଁ ପୌରାଂଚଳଗୁଡ଼ିକର ବିଦ୍ୟୁତ ଶକ୍ତି ବାବଦରେ ହେଉଥିବା ବ୍ୟୟରେ ହ୍ରାସ ଘଟିବ, ସଡ଼କଗୁଡ଼ିକ ଆଲୋକିତ ହେବ ଓ ଜନସାଧାରଣ ଉପଯୁକ୍ତ ସୁରକ୍ଷା ପାଇବେ । ଏହି ଲକ୍ଷ୍ୟକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ରୂପାୟନ କରିବା ପାଇଁ ରାଜ୍ୟର ସମସ୍ତ ପୌରସଂସ୍ଥାଗୁଡ଼ିକୁ ୫ ଭାଗରେ ବିଭକ୍ତ କରାଯାଇ ୫ଟି ଘରୋଇ ତଥା ସରକାରୀ ଉଦ୍ୟୋଗମାନଙ୍କୁ କାର୍ଯ୍ୟନିର୍ବାହୀ ସଂସ୍ଥା ରୂପେ ନିଯୁକ୍ତ କରାଯାଇଛି । ଏହି ଯୋଜନା ଅନୁଯାୟୀ ନିଯୁକ୍ତି ପାଇଥିବା ସଂସ୍ଥାଗୁଡ଼ିକୁ ପ୍ରକଳ୍ପ ସ୍ଥାପନ କରିବା ସଙ୍ଗେ ସଙ୍ଗେ ୭ ବର୍ଷର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି ।
ସମୀକ୍ଷାରୁ ଜଣାଯାଇଛି ଯେ, ରାଜ୍ୟ ସରକାରଙ୍କ ଏହି ବିକାଶ ପରିକଳ୍ପନା ୩ଟି ପର୍ଯ୍ୟାୟରେ ନିର୍ବାହ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୫ଟି ମହାନଗର ନିଗମଗୁଡ଼ିକରେ ଅଧିକ ବିଦ୍ୟୁତ ଶକ୍ତି ବ୍ୟବହାର କରୁଥବା ପୁରାତନ ବଲ୍କଗୁଡ଼ିକୁ ସଂପୂର୍ଣ୍ଣ ରୂପେ ବଦଳାଯାଇ ତା\’ପରିବର୍ତେ ଶକ୍ତି ସଂଚୟକାରୀ ଏଲ୍ଇଡି ବଲ୍ବ ତଥା ତା\’ର ଆନୁଷଙ୍ଗିକ ସଲଗ୍ନ ଉପକରଣ ବ୍ୟବହାର କରିବା ପାଇଁ ଯୋଜନା କରାଯାଇଛି । ଏହା ସହିତ ଭୁବନେଶ୍ୱର ମହାନଗର ନିଗମର ଆଲୋକୀକରଣ ବ୍ୟବସ୍ଥା ନଥିବା ସମସ୍ତ ସଡ଼କଗୁଡ଼ିକୁ ଏଲ୍ଇଡି ବଲ୍ବ ଦ୍ୱାରା ଆଲୋକିତ କରିବା ପାଇଁ ଏହି ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପ୍ରକଳ୍ପ ଘରୋଇ ଉଦ୍ୟୋଗ ସହାୟତାରେ ନିର୍ବାହ କରାଯାଇଛି । ଏଥି ନିମନ୍ତେ ଏନ୍ଇଇଏସ୍ଏଲ୍ ନାମକ ଏକ ଘରୋଇ ସଂସ୍ଥାକୁ ନିଯୁକ୍ତ କରାଯାଇ ପ୍ରକଳ୍ପ ସ୍ଥାପନ ଓ ୭ ବର୍ଷ ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ଦିଅ ।ଯାଇଛି । ଏହି ପ୍ରକଳ୍ପ ସ୍ଥାପନ ନିମନ୍ତେ ୭୫.୬୧ କୋଟିର ଅର୍ଥରାଶିର ବ୍ୟୟ ଅଟକଳ କରାଯାଇଛି ।