-
୨୦ ବର୍ଷର ଶାସନରେ ରୋଜଗାର ଦେବାରେ ବିଫଳ ନବୀନ ସରକାର:ଯୁବମୋର୍ଚ୍ଚା
ଭୁବନେଶ୍ୱର- ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି , ଶିକ୍ଷିତଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା, ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀ ପୂରଣ ନହେବା, ରାଜ୍ୟରେ ଥିବା ଘରୋଇ କଂପାନୀମାନଙ୍କରେ ଓଡିଆ ଯୁବକମାନଙ୍କୁ ନିଯୁକ୍ତି ନମିଳିବା, ନିଯୁକ୍ତି ମେଳା ନାଁରେ ଶାସକ ଦଳର ନେତା ଚାନ୍ଦା ଆଦାୟ କରିବା ପ୍ରତିବାଦରେ ଗୁରୁବାର ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଠାରେ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟାଳୟରୁ ଏକ ବିଶାଳ ରାଲି ବାହାରି ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଲି ପୂର୍ବରୁ ଦଳୀୟ କାର୍ଯ୍ୟାଳୟ ଠାରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଶାସକ ବିଜେଡିର ଅପାରଗତ ଓ ସ୍ଥାଣୁତା କାରଣରୁ ଦୀର୍ଘ ୨୦ ବର୍ଷ ଶାସନ କ୍ଷମତା ଥିବା ସତ୍ୱେ ଆଜି ଓଡିଆ ଯୁବକ ଯୁବତୀମାନେ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଯୁବକ ଯୁବତୀଙ୍କ ହକ୍ ର ଲଢେଇ ପାଇଁ ବିଜେପି ସଂଘର୍ଷ ଜାରି ରଖିବ ।
ସେ ଆହୁରି କହିଥିଲେ ଯେ ଦୀର୍ଘ ୨୦ ବର୍ଷ ଶାସନ ପରେ ଓଡିଆ ଯୁବକଙ୍କୁ ସରକାର ଧୋକ୍କା ଦେବା ସହ ପ୍ରତାରିତ କରିଛନ୍ତି । ରାଜ୍ୟ ସରକାରଙ୍କ ଅପରାଗତ ପାଇଁ ଆଜି ଓଡିଶା ବେରୋଜଗାରୀ ଏବଂ ବେକାରୀରେ ୧ ନମ୍ବର ସ୍ଥାନରେ ରହିଛି ।୨୦୦୯ରୁ ଆଜି ଯାଏଁ ଦୀର୍ଘ ୧୦ ବର୍ଷ ଭିତରେ ରାଜ୍ୟର ଏମ୍ପଲୟମେଂଟ ଏକ୍ସଚେଂଜରେ ୨୨ ଲକ୍ଷ ୫୭ ହଜାର ବେକାର ଯୁବକ ଯୁବତୀ ଚାକିରି ପାଇଁ ନାମ ପଂଜିକୃତ କରିଥିଲେ ହେଲେ ମାତ୍ର ୨୬,୪୫୦ ଜଣଙ୍କୁ ନିଯୁକ୍ତି ନିଯୁକ୍ତି ମିଳିଛି । ଯାହାକି ନିଯୁକ୍ତି ହାରର ମାତ୍ର ୧% । ସେହିପରି ରାଜ୍ୟ ସରକାରଙ୍କର ସ୍କିଲଡ ଓଡିଶା କାର୍ଯ୍ୟକ୍ରମ ସମ୍ପୃର୍ଣ୍ଣ ବିଫଳ ହୋଇଛି । ଏହି କାର୍ଯ୍ୟକ୍ରମରେ ୬୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୯୩,୦୧୧ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨୧,୬୮୧ ନିଯୁକ୍ତି ପାଇଛନ୍ତି । ସରକାରଙ୍କର ନିଶ୍ଚିନ୍ତ ନିଯୁକ୍ତି କାର୍ଯ୍ୟକ୍ରମରେ ଓଡିଆ ଯୁବପିଢୀଙ୍କୁ ସଂପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ୨୦ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ରୋଜଗାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ।
ରାଜ୍ୟରେ ଖାଲିଥିବା ପଦବୀ ଗୁଡିକୁ ରାଜ୍ୟସରକାର ତୁରନ୍ତ ପୂରଣ କରିବା ସହ ଘରୋଇ କଂପାନୀମାନଙ୍କରେ ଓଡିଆଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ । ଯଦି ରାଜ୍ୟସରକାର ରାଜ୍ୟରେ ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନଦେବେ ତେବେ ଆଗାମୀ ଦିନରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।
ଏହି ପ୍ରତିବାଦ ପଦଯାତ୍ରାରେ ବିଶ୍ୱରଂଜନ ବଡଜେନା, ସତ୍ୟବାଦୀ ଚଇନି, ସିକନ୍ଦର ଅଲ୍ଲୀ, କାମାକ୍ଷା ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ଦୀପକ ଗୋଚ୍ଛାୟତ, ଅଭିଷେକ ଆଚାର୍ଯ୍ୟ, ସ୍ୱାଧୀନ ମହାନ୍ତି, ସୁଜିତ ସାହୁ, ଧୀରେନ ପାତ୍ର, ଦିଲୀପ ବେହେରା, ରଶ୍ମିରଂଜନ ମୁଦୁଲି, ଦିଲୀପ ମହାନ୍ତି, ବାବୁ ସିଂ, ଜଗନ୍ନାଥ ପ୍ରଧାନ, ହରେକୃଷ୍ଣ ଖୁଂଟିଆଙ୍କ ସମେତ ହଜାର ହଜାର ସଂଖ୍ୟାରେ ଯୁବକ ଯୁବତୀ ସାମିଲ ଥିଲେ ।