ଭୁବନେଶ୍ୱର- ୨୦୧୯-୨୦ ବଜେଟରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶ ଭାବେ ଓଡିଶାକୁ ୩୦,୪୫୩ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବଜେଟ ୨୦୨୦-୨୧ରେ ଏହା ବଢି ୩୬,୩୦୦ କୋଟି ଟଙ୍କା ମିଳିବ । ଚଳିତ ୨୦୨୦-୨୧ ବଜେଟରେ କେନ୍ଦ୍ରୀୟ ଅନୁଦାନ ଭାବେ ଓଡିଶାକୁ ମିଳିବ ୩୨,୦୦୦ କୋଟି ଟଙ୍କା । ଚଳିତ ବଜେଟରେ କେନ୍ଦ୍ରୀୟ ଟିକସ ଓ କେନ୍ଦ୍ରୀୟ ଅନୁଦାନ ବାବଦରେ ୬୮,୩୦୦ କୋଟି ଟଙ୍କା ମିଳିବ ଯାହା ଗତ ବର୍ଷର ବଜେଟ ଅପେକ୍ଷା ୪୫୬୫ କୋଟି ଅଧିକ । ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶିଳ ବଜେଟ ବୋଲି କହିଛନ୍ତି ରାଜ୍ୟ ସଭାପତି ସମିର ମହାନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟର ବଜେଟ ପରିମାଣ ସମୁଦାୟ ୧,୫୦,୦୦୦ କୋଟି ହୋଇଥିଲା ବେଳେ ସେଥିରୁ କେନ୍ଦ୍ରୀୟ ଅନୁଦାନ ଓ ଟିକସର ପରିମାଣ ହେଉଛି ହେଉଛି ୬୮,୩୦୦ କୋଟି ଯାହା ହେଉଛି ବଜେଟର ୪୫ ପ୍ରତିଶତ । ରାଜ୍ୟର ନିଜସ୍ୱ ଆୟ ହେଉଛି ୫୬୬୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୧୧,୭୦୦ କୋଟି କମ୍ । ଖାଲି ସେତିକି ନୁହେଁ ରାଜ୍ୟର ନିଜସ୍ୱ ଆୟ ଯାହା ଅଛି ତାହା ସରକାରଙ୍କର ଦରମା ପେନସନକୁ ବି ନିଅଂଟ । ଦରମା ପେନସନ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୫,୬୫୫ କୋଟି ଟଙ୍କା ଯେଉଁଠି ରାଜ୍ୟର ନିଜସ୍ୱ ଆୟ ହେଉଛି ୫୬,୬୦୦ କୋଟି ଟଙ୍କା । ଯେଉଁ ସରକାର କର୍ମଚାରିଙ୍କ ଦରମା ଓ ପେନସନ ବାବଦ ଖର୍ଚ୍ଚବି ନିଜସ୍ୱ ଆୟରୁ ଭରଣା କରିବାରେ ଅସମର୍ଥ ସେ ସରକାର ରାଜ୍ୟରେ କିପରି ବିକାଶ କରିବ ? ରାଜ୍ୟରେ ଯାହା ବିକାଶ ମୁଳକ କାମ ହେବ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ । ରାଜ୍ୟ ସରକାର ଏବେ ସ୍ୱୀକାର କରନ୍ତୁ ଯେ ଲମ୍ବା ୨୦ ବର୍ଷର ଶାସନ ପରେ ବି ଯେଉଁ ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ସେମାନେ କରିପାରିଲେ ନାହିଁ ।
ଚଳିତ ୨୦୨୦-୨୧ ବଜେଟରେ ରାଜ୍ୟ ସରକାର ଋଣ କରିବେ ୨୫,୭୦୦ କୋଟି ଟଙ୍କା । ଚଳିତ ବଜେଟରେ ମୋଟ ବଜେଟର ୧୭ ପ୍ରତିଶତ ହେଉଛି ରୁଣ କରିଥିବା ଅର୍ଥ । ଏବେ ରାଜ୍ୟର ମୋଟ ରୂଣ ଭାର ୧ ଲକ୍ଷ ୬ ହଜାର କୋଟି ଟଙ୍କା ଛୁଇଁଗଲା । ଓଡିଶା ଏବେ ବଡ ଆର୍ଥୀକ ଅସମ୍ଭାଳ ପରିସ୍ଥିତି ଆଡେ ମୁହାଁଉଛି । କାରଣ ଆମର ବାର୍ଷୀକ ବଜେଟ ଦେଖିଲା ବେଳକୁ ରୂଣର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର ରୟାଲଟି ଭାବେ ୧୨୫୦୦ କୋଟି ଟଙ୍କା ପାଇବେ ଖଣି ନିଲାମିରୁ ଯାହା ରାଜ୍ୟର ସମସ୍ତ ଅଣ ଟିକସ ଆୟର ୭୧% । କେନ୍ଦ୍ରରେ ମୋଦି ସରକାରଙ୍କର ଖଣି ନିଲାମିରେ ସ୍ୱଛତା ଓ ସଂସ୍କାର ଆଣିବା କାରଣରୁ ଓଡିଶା ଆଜି ବଡ ଲାଭବାନ ହେଉଛି । ହେଲେ ଓଡିଶାର ପ୍ରାକୃତିକ ସମ୍ପତିକୁ ଯଦି ପୂର୍ବ ବର୍ଷମାନଙ୍କ ଭଳି ବେଧଡକ ଲୁଟ କରାଯାଏ ଓ ନିଲାମି ଅଂଚଳକୁ ଛାଡି ଅନ୍ୟ ଅଂଚଳରୁ ଚୋରା ଚାଲାଣ କରାଯାଏ ତାହେଲେ ଓଡିଶା ତାର ନ୍ୟାର୍ଯ୍ୟ ହକରୁ ବଂଚିତ ହୋଇପାରେ ।