ଭୁବନେଶ୍ୱର- ଚଳିତ ବଜେଟ ଅତ୍ୟନ୍ତ ନୈରାଶ୍ୟ ଜନକ ବଜେଟ । ବଜେଟରେ କିଛି ନୁଆ ଘୋଷଣା ନାହିଁ । ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଏହି ବଜେଟରେ ନୁଆ କଣ ଅଛି ? ହେଲେ ଚଳିତ ବଜେଟରେ କିଛି ନୁତନ୍ୱତ ନାହିଁ । ବିଶେଷ ଭାବରେ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା, ନୁଆ ଶିଳ୍ପ ଉଦ୍ୟୋଗି ତିଆରି କରିବା, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ପାଇଁ ଯୋଜନା, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ । ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୁର ପ୍ରୟାସ କରାଯାଇଛି । ସେହିପରି କାଳିଆ ଯୋଜନାରେ ଅର୍ଥ କାଟ ହେଉଛି ଚାଷୀମାନଙ୍କ ପ୍ରତି ଏହି ବଜେଟର ସବୁଠାରୁ ବଡ ପ୍ରତାରଣା ବୋଲି କହିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ ।
କାଳିଆ ଯୋଜନାରେ ଗତ ବର୍ଷ ରାଜ୍ୟ ସରକାର ୪୩ ଲକ୍ଷ ଚାଷିଙ୍କୁ ୫୧୧୮ କୋଟି ଟଙ୍କା ଦେଇଥିଲେ । ହେଲେ ଚଳିତ ବର୍ଷ ଏହାକୁ କମାଇ ଚଳିତ ବର୍ଷ ୩୧୯୫ କୋଟି ଟଙ୍କା କରିଛନ୍ତି । ଏଥିରୁ ପ୍ରମାଣିତ ହେଉଛି ରାଜ୍ୟ ସରାକର ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନା ଆରମ୍ଭ କରିଥିଲେ । ରାଜ୍ୟ ସରକାର ଯେତିକି ଚାଷୀଙ୍କୁ ସାମିଲ କରିଥିଲେ ଏ ବର୍ଷ ସେଥିରୁ ୨୦ ଲକ୍ଷ ଚାଷୀମାନଙ୍କୁ ସେଥିରୁ ବଂଚିତ କରିବେ । ଏହି କମ ଆବଂଟନ ପାଇଁ ପାଖାପାଖି ୨୦ ଲକ୍ଷ ଚାଷି କାଳିଆ ଯୋଜନାରୁ ବାଦ ପଡିବେ । ଏହା ଏକ ବଡ ପ୍ରତାରଣା ବୋଲି ଶ୍ରୀ ନାଏକ କହିଛନ୍ତି ।
ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ୧୯୪୦୮ କୋଟି ଟଙ୍କା ଆବଂଟନ କରିଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ । ସେହିପରି ନବକୃଷ୍ନ ଚୌଧୁରି ପ୍ରକଳ୍ପ ପାଇଁ ଆଗାମି ୫ ବର୍ଷରେ ୬୩୫ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସରକାର କହିଛନ୍ତି ହେଲେ ଏ ବର୍ଷ ଦେଇଛନ୍ତି ମାତ୍ର ୯୦ କୋଟି ଟଙ୍କା । ସମନ୍ୱିତ ଜଳସେଚନ ପ୍ରକଳ୍ପ ଯୋଜାନରେ ୫୩୮ ଟି ପ୍ରକଳ୍ପ ପାଇଁ ମାତ୍ର ୧୫୦ କୋଟିର ବ୍ୟୟ ବରାଦ ହୋଇଛି । ଏତେ କମ ରାଶିରେ ଏତେ ଗୁଡିଏ ପ୍ରକଳ୍ପ କିପରି ସରିବ ତାହା ଏକ ବଡ ପ୍ରଶ୍ନ । ଚାଷୀମାନଙ୍କର ବିକାଶ ପାଇଁ ସବୁଠାରୁ ଗୁରୁତ୍ୱ ବହନ କରୁଥିବା ସମବାୟ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ମାତ୍ର ୨୦ କୋଟି ଟଙ୍କା ପ୍ରାବଧାନ କରିଛନ୍ତି ଯାହା ସମୁଦ୍ରକୁ ଶଙ୍ଖେ । ମୋଟାମୋଟି ଭାବେ ରାଜ୍ୟ ସରକାର ଚାଷିମାନଙ୍କୁ ନିରାଶ କରିଛନ୍ତି ବୋଲି ପ୍ରଦୀପ୍ତ କହିଛନ୍ତି ।
ପ୍ରତିବର୍ଷ ଭଳି ଏବର୍ଷ ବି ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନାରେ ବ୍ୟୟ ବରାଦ କରିନାହାନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାରଙ୍କ ଠାରୁ ଓଡିଶାକୁ ମିଳିବାକୁ ଥିବା ୩୯୬୨ କୋଟି ଟଙ୍କାକୁ ଚତୁରତାର ସହିତ ବଜେଟ ଭାଷଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ମିଳିବ ବୋଲି କହିଛନ୍ତି । ସେହିପରି ରାଜ୍ୟ ସରକାର ଚଳିତ ବଜେଟରେ ସ୍ୱତନ୍ତ୍ର ଭାବେ ନ୍ୟୁଟ୍ରିସନ ବଜେଟ ଆଣିଛନ୍ତି । କହିଛନ୍ତି ଏପରି ବଜେଟ ଆଣିବାରେ ଓଡିଶା ଦେଶର ପ୍ରଥମ ରାଜ୍ୟ । ହେଲେ ଏହା ହେଉଛି ସମ୍ପୃର୍ଣ୍ଣ କେନ୍ଦ୍ର ସରକାରଙ୍କର ଯୋଜନା । ଚଳିତ କେନ୍ଦ୍ରୀୟ ବଜେଟରେ କେନ୍ଦ୍ର ସରକାର ବ୍ୟାପକ ଅର୍ଥର ପ୍ରାବଧାନ କରିଛନ୍ତି । ରାଜ୍ୟର କିଛି ବାହାଦୁରି ନାହିଁ ବୋଲି ଶ୍ରୀ ନାଏକ କହିଛନ୍ତି ।
ଶ୍ରୀ ନାଏକ କହିଛନ୍ତି ଯେ ଚଳିତ ଆର୍ଥୀକ ବର୍ଷର ବଜେଟକୁ ପେପରଲେସ କରିବାର ଉଦ୍ୟମ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ୫ଟି ସମୟର ବହୁ ପଛରେ । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ୨୦୧୪ ମସିହାରୁ ବିଧାନସଭା, ରାଜ୍ୟ ବଜେଟକୁ ଓ ରାଜ୍ୟ କ୍ୟାବିନେଟଳୁ ପେପରଲେସ କରିଥିଲେ । ଓଡିଶା ଏବେ କରୁଛି ।