ଭୁବନେଶ୍ୱର- ରାଜ୍ୟରେ ଧାନ କିଣାରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥାକୁ ନେଇ ବୁଧବାର ଦିନ ବିଧାନସଭାରେ ଉଭୟ ସରକାରୀ ଦଳ ଓ ବିରୋଧୀ ଦଳ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା । ପ୍ରଶ୍ନୋତର କାର୍ଯ୍ୟକ୍ରମ ବେଳେ ଓ ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ବିଧାୟକ ମାନେ ଚିନ୍ତା ବ୍ୟକ୍ତ କରିବା କାରଣରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ଯେ ସେ ଜିଲ୍ଲା ବାରୀ ଅଫିସର ମାନଙ୍କୁ ଡାକି ବିଧାୟକ ମାନଙ୍କ ସହ ବୈଠକ କରନ୍ତୁ ଓ ସବୁ ବିଷୟରେ ଆଲୋଚନା କରନ୍ତୁା ଏହା ପରେ ବିଧାନସଭାରେ ରିପୋର୍ଟ ଉପସ୍ଥାପନ କରନ୍ତୁ ।
ପ୍ରଶ୍ନୋତର କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗରେ ବିଭିନ୍ନ ବିଧାୟକ ମାନେ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ଶୂନ୍ୟକାଳରେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ଧାନ କିଣାକୁ ନେଇ ଅବ୍ୟବସ୍ଥା ଦେଖା ଦେଇଛି । ଅନେକ ସ୍ଥାନରେ ଟୋକେନ ଜେନେରେଟ ହୋଇ ନାହିଁ । ତେଣୁ ଧାନ ଉଠା ଯାଇ ପାରୁ ନାହିଁ । ଚାଷୀ ମାନେ ହଇରାଣ ହେଉଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଶାସନ କରିବା ସତ୍ୱେ ବିଜେଡି ସରକାର ଧାନ କିଣା ବ୍ୟବସ୍ଥାକୁ ସୁଧାରି ପାରି ନାହିଁ । ସାଧାରଣ ଲୋକ ମାନେ, ଚାଷୀ ମାନେ ବିଧାୟକ ମାନଙ୍କୁ ସେମାନଙ୍କର କଥା ଉଠାଇବାକୁ ଏଠାକୁ ପଠାଇଠଛନ୍ତି । ଯଦି ସରକାର ତାଙ୍କ କଥା ନ ଶୁଣିବେ ତେବେ କହି ଲାଭ କଣ । ତେଣୁ ଏ ସମ୍ପର୍କରେ ବାଚସ୍ପତି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ । ଏହା ପରେ ବାଚସ୍ପତି ଶ୍ରୀ ପାତ୍ର ଉପରୋକ୍ତ ନିର୍ଦେଶ ଦେଇଥିଲେ ।
ଏହା ପୂର୍ବରୁ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର, ମୁକେଶ ମହାଲିଙ୍ଗ, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ବିଜେଡି ବିଧାୟକ ଭୂୁପିନ୍ଦର ସିଂହ ଓ ଅନ୍ୟ ବିଧାୟକ ମାନେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ।