ଭୁୁବନେଶ୍ୱର – ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ରସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି । କିନ୍ତୁ ରାଜ୍ୟ ସରକାର ଏହାର ଲାଭ ଉଠାଇବା ପରିବର୍ତେ ବାରମ୍ବାର କେନ୍ଦ୍ର ଉପରେ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ ଆଣୁଛନ୍ତି । ଅଭିଯୋଗ ଛାଡି ରାଜ୍ୟ ସରକାର କେନ୍ଦ୍ରକୁ ସହଯୋଗ କଲେ ରାଜ୍ୟରେ ବିଭିନ୍ନ ନୂତନ ପ୍ରକଳ୍ପ କାର୍ଯ୍ୟକାରୀ ହେବା ସହ ରାଜ୍ୟବାସୀ ଲାଭବାନ ହୋଇ ପାରିବେ ବୋଲି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଓଡିଶା ସରକାର କେନ୍ଦ୍ର ନିକଟରେ ପ୍ରସ୍ତାବ ଦେଉନାହାନ୍ତି । କେନ୍ଦ୍ରରୁ ମିଳୁଥିବା ଅର୍ଥକୁ ଖର୍ଚ୍ଚ କରୁନାହାନ୍ତି । କେନ୍ଦ୍ରୀୟ ବଜେଟ୍ ରୁ ରାଜ୍ୟ ମାନଙ୍କୁ ମିଳୁଥିବା ଅର୍ଥକୁ ସଠିକ୍ ଭାବେ ବିନିଯୋଗ କରିବା ରାଜ୍ୟ ସରକାର ଦାୟିତ୍ୱ । ଚଳିତ କେନ୍ଦ୍ରୀୟ ବଜେଟ୍ ରେ କେନ୍ଦ୍ର ସରକାର ମତ୍ସ୍ୟ ଚାଷ , ସୋଲାର ପାୱାର , ଜଳସେଚନ ଆଦି କ୍ଷେତ୍ରରେ ବଡ ବଡ ପ୍ରକଳ୍ପର ଘୋଷଣା କରିଛନ୍ତି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସହଯୋଗ କରିବେ ।ସେହିପରି କୃଷି କ୍ଷେତ୍ର ପାଇଁ ମଧ୍ୟ ବହୁ ପ୍ରକଳ୍ପ କରାଯାଇଛି । ଦେଶରେ ୧୦୦ଟି ନୂଆ ଏୟାରପୋର୍ଟ କରିବାକୁ ଘୋଷଣା କରାଯାଇଛି । ରାଜ୍ୟ ସରକାର ଚାହିଁଲେ ଏହାର ଲାଭ ଉଠାଇ ପାରିବେ । ସେହିପରି ପର୍ଯ୍ୟଟନର ବିକାଶ ପାଇଁ ଏକ ଜାତୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାପାଇଁ ନିଷ୍ପତି ହୋଇଛି । ଏହାର ମଧ୍ୟ ରାଜ୍ୟ ଲାଭ ନେଇପାରିବ ।
ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି । ସବୁ ଜିଲ୍ଲା ହସ୍ପିଟାଲକୁ ମେଡିକାଲ କଲେଜ କରିବାକୁ କେନ୍ଦ୍ର ଘୋଷଣା କରିଛି । ରାଜ୍ୟ ସରକାର ଚାହିଁଲେ ଅଧିକ ମେଡିକାଲ କଲେଜ ପ୍ରତିଷ୍ଠା କରିପାରିବେ । ଅନ୍ୟପକ୍ଷରେ ଅନୁଦାନ କମିବା ନେଇ ରାଜ୍ୟ ସରକାର କରୁଥିବା ଅଭିଯୋଗ ମିଥ୍ୟା । ଚଳିତ ବଜେଟ୍ ରେ ଓଡିଶାକୁ ୩୨ହଜାର କୋଟି ମିଳିଛି । ଯାହାକି ଗତ ବର୍ଷ ଠାରୁ ୧୫୦୦ କୋଟି ଅଧିକା । ତେଣୁ ରାଜ୍ୟ ସରକାର କେନ୍ଦ୍ର ଉପରେ ଅଭିଯୋଗ ଆଣିବା ପରିବର୍ତେ ମିଳିୁଥିବା ସୁଯୋଗରୁ ଫାଇଦା ଉଠାନ୍ତୁ ବୋଲି ରାମ ମାଧବ ଆହ୍ୱାନ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଏବଂ ମୁଖପାତ୍ର ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।