
ଭୁୁବନେଶ୍ୱର- ରାଜ୍ୟରେ ଲିଚୁ ଚାଷ ହ୍ରାସ ପାଇବାକୁ ନେଇ ବୁଧବାର ବିଧାନସଭାରେ ବିଧାୟକମାନେ ଉଦବେଗ ପ୍ରକାଶ କରିଥିଲେ ।ଏହି ଚାଷ କରିବାପାଇଁ ଯୁବବର୍ଗଙ୍କୁ ପ୍ରୋତ୍ସାହନ ଦେବା ଲାଗି ସେମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ଚାଷୀ ଓ ଚାଷକୁ ଅବହେଳା କରାଯିବ ନାହିଁ । ଲିଚୁ ଚାଷକୁ ପ୍ରୋତ୍ସାହନ ଦିଆଯିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି ।
ବିଧାୟକ ରମେଶ ଚନ୍ଦ୍ର ସାଏ , ସୁରେଶ କୁମାର ରାଉତରାୟ , ଉମାକାନ୍ତ ସାମନ୍ତରାୟ , ଲକ୍ଷ୍ମଣ ମୁଣ୍ଡାଙ୍କ ମୂଳ ଓ ଅତିରିକ୍ତ ପ୍ରଶ୍ନର ଉତର ଦେଇ କୃଷିମନ୍ତ୍ରୀ ଶ୍ରୀ ସାହୁ କହିଥିଲେ ଯେ ରାଜ୍ୟରେ ବର୍ତମାନ୪,୪୭୭ ହେକ୍ଟର ଜମିରେ ଲିଚୁ ଚାଷ ହୋଇଥାଏ । ୨୦,୦୪୩ ମେଟ୍ରିିକ୍ ଟନ୍ ଲିଚୁ ଉତ୍ପାଦନ ହୋଇଥାଏ । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ନାକଚି ଉଦ୍ୟାନ କୃଷି ଫାର୍ମରେ ୧୬୦୦ ଲିଚୁ ଗଛ ରହିଛି । ଏହାକୁ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାପାଇଁ ବର୍ତମାନ ପାଇଁ ଯୋଜନା ନାହିଁ । ବିହାର ଓ ପଶ୍ଚିମବଙ୍ଗରୁ ଲିଚୁ ଆମଦାନୀ ହେଉଛି । ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ କରିବାପାଇଁ ଅନୁଧ୍ୟାନ କରାଯିବ । ସାକ୍ଷୀଗୋପାଳ ସ୍ଥିତ ଫାର୍ମକୁ ଆଦର୍ଶ କରିବାପାଇଁ ଉଦ୍ୟମ କରାଯାଉଛି । ବଣାଇ ଓ ଖଣ୍ଡାଧାରରେ ଲିଚୁ ଚାଷ କରାଯାଉଛି । ସେଠାରେ କର୍ମଚାରୀମାନେ ଠିକ୍ ଭାବେ କାମ କରୁନଥିବା ସେ ପରିଦର୍ଶନ ବେଳେ ଜାଣିବାକୁ ପାଇଛନ୍ତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।