-
କଂଗ୍ରେସ ଭବନଠାରେ ଯୁବ କଂଗ୍ରେସ ପକ୍ଷରୁ ଯୁବ ଅଧିକାର ସମାବେଶ
ଭୁବନେଶ୍ୱର – ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଆୟୋଜିତ ଯୁବ ଅଧିକାର ସମାବେଶରେ ଅଧ୍ୟକ୍ଷତା କରି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥି କହିଲେ ଯେ ରାଜ୍ୟରେ ଦିନକୁ ଦିନ ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ବିଜେଡି ସରକାର ଶାସନକୁ ଆସିବା ପରଠାରୁ ନିଯୁକ୍ତି ସୁଯୋଗକୁ ସଂପୂର୍ଣ୍ଣ ସଂକୁଚିତ କରି ବେକାର ଯୁବକଯୁବତୀମାନଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛନ୍ତି । ମଧୁର ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେଡି ସରକାର ବର୍ତମାନ ନାରୀ ନିର୍ଯ୍ୟାତନା, କୃଷକ ଆତ୍ମହତ୍ୟା, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଏପରିକି ଆଇନ୍ଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବାରେ ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ରାଜ୍ୟ ସରକାର ବେକାର ଯୁବକ ଯୁବତୀମାନଙ୍କୁ ଚାକିରୀ ଦିଅନ୍ତୁ, ନଚେତ୍ ସେମାନଙ୍କୁ ଭତା ପ୍ରଦାନ କରନ୍ତୁ । ନଚେତ୍ ଏହିସବୁ ସମସ୍ୟାକୁ ନେଇ ଆଗାମୀ ଦିନରେ ଯୁବ କଂଗ୍ରେସ ବ୍ଲକ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇବାକୁ ଶ୍ରୀ ମହାରଥି ଆହ୍ୱାନ ଦେଇଥିଲେ । ଗାଁ ଗହଳିରେ ରହିଥିବା ବେକାର ଯୁବକ ଯୁବତୀମାନେ ଭାରତୀୟ ଯୁବ କଂଗ୍ରେସର ଟୋଲ୍ ଫି୍ର ନମ୍ବର ୮୧୫୧୯୯୪୪୧୧ ରେ ମିସଡ୍ କଲ୍ ଦେଇ ନିଜର ନାମକୁ ପଞ୍ଜିକୃତ କରିବା ସହିତ ନିଜର ଅଧିକାର ହାସଲ ପାଇଁ ଯୁବ କଂଗ୍ରେସର ଏହି ଅଭିଯାନରେ ସାମିଲ ହୁଅନ୍ତୁ ବୋଲି ଶ୍ରୀ ମହାରଥି ପ୍ରକାଶ କରିଥିଲେ । ଏହି ଅବସରରେ ଓଡିଆ ସିନେ ଜଗତର ବିଶିଷ୍ଟ ଯୁବ ଅଭିନେତା ଶ୍ରୀଜିତ୍ ମହାପାତ୍ର ଯୁବ କଂଗ୍ରେସରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ ।
ଏହି ସମାବେଶରେ ଭାରତୀୟ ଯୁବ କଂଗ୍ରେସ ସାଧାରଣ ସଂପାଦିକା ତଥା ଓଡିଶା ପ୍ରଭାରୀ କୁମାରୀ ପ୍ରତିଭା ରଘୁବଂଶୀ, ବିଧାୟକ ସୁରେଶ କୁମାର ରାଉତରାୟ ଓ ମହମ୍ମଦ ମୋକିମ୍, ଏଆଇସିସି ସଂପାଦକ ଡ. ବିଶ୍ୱରଂଜନ ମହାନ୍ତି, ଭାରତୀୟ ଯୁବ କଂଗ୍ରେସର ପ୍ରବକ୍ତା ଆଶୁତୋଷ ଚାଟାର୍ଜୀ ଓ ୟଶ୍ ଚୌଧୁରୀ, କଂଗ୍ରେସ ନେତା ଶୁଭେନ୍ଦୁ ମହାନ୍ତି, ଶିବାନନ୍ଦ ରାୟ, ସତ୍ୟ ପ୍ରକାଶ ନାୟକ, ମାନସ ମଲ୍ଲିକ, ସ୍ମୃତି ଲେଙ୍କା, ମନୋଜ ମହାପାତ୍ର ପ୍ରମୁଖ ଉଦ୍ବୋଧନ ଦେଇ କହିଲେ ଯେ ଆଜିର ଶିକ୍ଷିତ ଯୁବକ ନିଯୁକ୍ତି ନପାଇ ପଡୋଶୀ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ଓଡିଶାରେ ନିଯୁକ୍ତି ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଥାଇ ମଧ୍ୟ ସରକାରଙ୍କ ଆନ୍ତରିକତା ଓ ଦୂରଦୃଷ୍ଟିର ଅଭାବ ଯୋଗୁଁ ଏଭଳି ସମସ୍ୟା ଉକ୍ରଟ ରୂପ ଧାରଣ କରିଛି । ଏପରିକି ବେକାରୀ ସମସ୍ୟା ଉକ୍ରଟ ରୂପ ଧାରଣ କରୁଥିବା ବେଳେ ବିଭିନ୍ନ ଶିଳ୍ପସଂସ୍ଥାକୁ ଚାଲୁ କରିବା ପରିବର୍ତେ ଶିଳ୍ପ ସଂସ୍ଥାଗୁଡିକରେ ତାଲା ଝୁଲିବା ଅତ୍ୟନ୍ତ ଦୁଃଖର ବିଷୟ । ସେହିଭଳି କେନ୍ଦ୍ର ସରକାର ମଧ୍ୟ ବେକାରୀ ସମସ୍ୟା ଦୂରୀକରଣ ପାଇଁ ଦେଇଥିବା ପ୍ରତିଶ୍ରୁତି ପାଳନରେ ବିଫଳ ହୋଇଛନ୍ତି । ଆଗାମୀ ଦିନରେ ଯୁବ କଂଗ୍ରେସ ବଳିÂ ସ୍ୱର ଉତୋଳନ କରି ଉଭୟ ସରକାରକୁ ବିରୋଧ କରିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଏହାପରେ କଂଗ୍ରେସ ଭବନରୁ ଯୁବ କଂଗ୍ରେସର ଏକ ବିଶାଳ ର୍ୟାଲି ନବୀନ ନିବାସ ଘେରାଉ ଉଦେ୍ଧଶ୍ୟରେ ଅଗ୍ରସର ହେଉଥିବା ବେଳେ ରାଜମହଲ ଛକ ଠାରେ ପୋଲିସ ବାଧା ଦେବାରୁ ପୋଲିସ ଓ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ପରେ ଏହାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରାଯାଇଥିଲା ।