ଭୁୁବନେଶ୍ୱର- ପଶ୍ଚିମ ଓଡିଶାର ବିଭିନ୍ନ କୋର୍ଟରେ ରହିଥିବା ମାମଲାକୁ ଗୁଡିକ ଅନ୍ୟ କୋର୍ଟ ଗୁଡିକୁ ସ୍ଥାନାନ୍ତରଣ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ଜାରା କରା ଯାଇଥିବା ନୋଟିଫିକେସନକୁ ପ୍ରତ୍ୟାହାର କରିବାକୁ ବିଧାନସଭାରେ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ପଶ୍ଚିମ ଓଡିଶାରେ ଓକିଲ ମାନେ ସେମାନଙ୍କର ଆନ୍ଦୋଳନ ପ୍ରତ୍ୟାହାର କରି ନେଇଥିବାରୁ ଏହି ନୋଟିଫିକେସନକୁ ପ୍ରତ୍ୟାହାର କରିବାକୁ ଦାବି କରିବା ସହ ଏ ସମ୍ପର୍କରେ ଆଇନମନ୍ତ୍ରୀ ଗୃହରେ ବକ୍ତବ୍ୟ ଦେବାକୁ ରୁଲିଂ ଦେବା ପାଇଁ ଶ୍ରୀ ମିଶ୍ର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିକଟରେ ନିବେଦନ କରିଥିଲେ । ବାଚସ୍ପତି ଶ୍ରୀ ପାତ୍ର ଏ ସମ୍ପର୍କରେ ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ଅନୁଧ୍ୟାନ କରିବା ପାଇଁ ନିର୍ଦେଶ ଦେବା ସହ ଅନୁଧ୍ୟାନ ପରେ ଗୃହରେ ବକ୍ତବ୍ୟ ରଖିବାକୁ କହିଥିଲୋ
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା କରିବାକୁ ଦାବି ନେଇ ଓକିଲ ମାନଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଥିଲା । ରାଜ୍ୟ ସରକାର ଏହି ଆନ୍ଦୋଳନ ପ୍ରତି ଧ୍ୟାନ ଦେଇନଥିଲେ । ସୁପ୍ରୀମକୋର୍ଟ ଓ ବାର କାଉନସିଲ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଥିଲେ । ବର୍ତମାନ ଓକିଲ ମାନେ ସେମାନଙ୍କର ଆନ୍ଦୋଳନରୁ ଓହରି ଯାଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାର ଏକତରଫା ଭାବେ ସମ୍ପୃକ୍ତ ପକ୍ଷକୁ ନ ପଚାରି ମାମଲା ଗୁଡିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି । ଏହା ଦ୍ୱାରା ଲୋକ ମାନେ ହଇରାଣ ହେବେ । ଏପରି ପରିସ୍ଥିତିରେ ଏହି ନୋଟିଫିକେସେନକୁ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦିଆ ଯାଉ ବୋଲି ସେ କହିଛନ୍ତି ।