
ମାଲକାନଗିରି- ଆନ୍ଧ୍ର – ଓଡିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳ ତଥା ବିଚ୍ଛିନ୍ନାଚଂଳର ୮ଗୋଟି ଗ୍ରାମପଞ୍ଚାୟତ ଯଥା- ବଡ଼ପଡ଼ା, ପାପରମେଟଲା, ଧୂଳିପୁଟ, ଯୋଡ଼ାମ୍ବ, ଯନ୍ତ୍ରୀ, ପଣଷପୁଟ, ଅଣ୍ଡିରାପାଲି, ଗାଜଲମାମୁଢି ପଞ୍ଚାୟତର ୧୫୧ ଖଣ୍ଡ ଆଦିବାସୀ ଅଧ୍ୟୁଷିତ ଗାଁର ଜନସାଧାରଣ ଜଳ ବନ୍ଦୀ ଭିତରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରି ଉଦଘାଟନ କଲା ପରେ ଉକ୍ତ ଅଞ୍ଚଳ ପାଇଁ ଏକ ନୂଆ ଜୀବନ ରେଖାର ଆଖି ଖୋଲି ଥିଲା । ମାତ୍ର ସେତୁ ଉଦଘାଟନ ହେବାର ଦେଢ଼ ବର୍ଷ ନହେଉଣୁ ଗୁରୁପ୍ରିୟା ସେତୁର ମଝିରେ ଥିବା ୧ ୬ ନମ୍ବର ପିଲର ଦୁଇ ପାଖରେ ଥିବା ଗାଡ଼ୱାଲର ଏକ୍ସପାନସନ ଜଏଣ୍ଟ ନଷ୍ଟ ହୋଇ ଏଙ୍ଗଲ ବଙ୍କା ହୋଇ ଯାଇଛି । ଉକ୍ତ ସମସ୍ୟାକୁ ନେଇ ସ୍ୱାଭିମାନ ଅଂଚଳ ବାସୀଙ୍କ ଜୀବନ ରେଖା ଉପରେ ବାଧା ଉପୁଜିଥିବାର ଦେଖିବାକୁ ମିଳିଥିବା ବେଳେ, ମାଲକାନଗିରି ପୂର୍ତ୍ତ ବିଭାଗ ତରଫରୁ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଦୁଇ ଦିନ ଭିତରେ ମରମତି କାମ ସରିବ ବୋଲି ବିଭାଗୀୟ ଅଧିକାରୀ କହିଥିବା ବେଳେ ସ୍ୱାଭିମାନ ଅଂଚଳ ବାସୀ ଗୁରୁପ୍ରିୟା ସେତୁର ସ୍ଥାୟୀତ୍ୱକୁ ନେଇ ଚିନ୍ତାରେ ଅଛନ୍ତି । ପୂର୍ତ୍ତ ବିଭାଗ ଉକ୍ତ ଜଏଣ୍ଟ ନଷ୍ଟ ହୋଇ ଏଙ୍ଗଲ ବଙ୍କା ହୋଇଯାଇଥିବା ସ୍ଥାନକୁ ଘେରାଇ ଆବଦ୍ଧ କରି କାମ କରୁଥିବା ବେଳେ ଏହି ମରାମତିକୁ ସାମାନ୍ୟ ଟିକେ ମରାମତି ବୋଲି କହିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ଗୁରୁପ୍ରିୟା ସେତୁର ଭବିଷ୍ୟତକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ପ୍ରକାଶ ଥାଉକି, ସେତୁ ନିର୍ମାଣ ସମୟରେ ଦୁଇ ଦୁଇ ଥର ଫାଇଲ୍ ଭାଙ୍ଗି ଥିଲା ।
