-
ଶକ୍ତିମନ୍ତ୍ରୀଙ୍କ ବିବୃତି ଦାବିରେ ବିରୋଧୀଙ୍କ କକ୍ଷତ୍ୟାଗ
ଭୁବନେଶ୍ୱର – ଗୋଳନ୍ଥରା ଥାନା ମେନ୍ଦ୍ରାରାଜପୁର ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଘରୋଇ ବସ୍ ଆସି ୧୧ଜଣ ମୃତ୍ୟୁବରଣ କରିଥିବା ଘଟଣା ଉପରେ ପରିବହନ ମନ୍ତ୍ରୀଙ୍କ ପରିବର୍ତେ ଶକ୍ତି ମନ୍ତ୍ରୀ ଗୃହରେ ବିବୃତି ରଖିବା ଦାବିରେ ବିରୋଧୀ ଦଳ ସଭ୍ୟମାନେ ଦାବି କରିଥିଲେ । ଅନ୍ୟପକ୍ଷରେ ଏହା ଉପରେ ବାଚସ୍ପତି ଦାବି ନମାନିବାରୁ ତାର ପ୍ରତିବାଦରେ ଉଭୟ ବିରୋଧୀ ଦଳ କକ୍ଷତ୍ୟାଗ କରିଥିଲେ । ଏସମ୍ପର୍କିତ ମୁଲତବୀ ପ୍ରସ୍ତାବ ବିରୋଧୀଙ୍କ ଅନୁପସ୍ଥିତିରେ ଆଲୋଚନା ହେବା ଏବଂ ପରିବହନ ଓ ଶକ୍ତିମନ୍ତ୍ରୀ ଉତର ରଖିବା ଆଜିର ନୂଆ ଘଟଣା ଥିଲା । ଅନ୍ୟପକ୍ଷରେ ବିରୋଧୀ ଦଳର ଅନୁପସ୍ଥିତିକୁ ଶାସକ ଦଳ ସଭ୍ୟମାନେ ନାପସନ୍ଦ କରିଥିଲେ ।
ବିଜେପି ସଭ୍ୟ ଜୟନାରାୟଣ ମିଶ୍ର , ବିଷ୍ଣୁ ଚରଣ ସେଠୀ , ମୋହନ ମାଝୀ ଏବଂ ସନାତନ ବିଜୁଳିଙ୍କ ପକ୍ଷରୁ ଅଣାଯାଇଥିବା ଏସମ୍ପର୍କିତ ମୁଲତବୀ ପ୍ରସ୍ତାବ ଉପରେ ଉତର ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଥିଲେ ଯେ ଉକ୍ତ ଘଟଣାର ଏକ ଯୁଗ୍ମ ଅନୁସନ୍ଧାନ କମିଟି ଦ୍ୱାରା ତଦନ୍ତ କରାଯାଇଛି । ବସ୍ ଟି ନିୟମ ବାହାରେ ଯାଇ ମେନ୍ଦ୍ରାରାଜପୁରଗ୍ରାମକୁ ଯାଇଥିଲା । ଏଥିପାଇଁ ଉକ୍ତ ବସ୍ ର ,ପରମିଟ୍ ରଦ୍ଦ କରିବାକୁ ପଦକ୍ଷେପ ନିଆଯାଉଛି । ବସ୍ ମାଲିକ ଓ ଡ୍ରାଇଭରଙ୍କ ବିରୋଧରେ ଏଫଆଇଆର ଦିଆଯାଇ ଡ୍ରାଇଭରକୁ ଗିରଫ କରାଯାଇଛି ଏବଂ ତାର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି । ନିୟମ ଭଙ୍ଗ କରିଥିବାରୁ ଚାଲାଣ କଟାଯାଇଛି । ୧୧ କେଭି ତାର ଉଚ୍ଚତା ଭୂମି ଠାରୁ ୨୦ ଫୁଟ୍ ଉପରେ ରହିବା ଆବଶ୍ୟକ ମାତ୍ର ତାହା ୧୨ ଫୁଟ୍ ଉଚ୍ଚତାରେ ଥିବାରୁ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ୪ ଜଣଙ୍କୁ ନିଲମ୍ବନ କରାଯାଇଛି । ଏହା ବ୍ୟତୀତ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ସହ ଆହତମାନଙ୍କର ମାଗଣା ଚିକିତ୍ସା ବ୍ୟବସ୍ଥା କରାଯାଇଛି ।
ଭବିଷ୍ୟତରେ ଏଭଳି ଅଘଟଣ ନଘଟିବା ପାଇଁ ଯୁଦ୍ଧଗାଳୀନ ଭିତିରେ ସମସ୍ତ ବିପଦସଙ୍କୁଳ ବିଦ୍ୟୁତ୍ ସରବରାହ ଓ ଟ୍ରାନସଫର୍ମର ମରାମତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୪ ତାରିଖରେ ଜିଲ୍ଲାପାଳ , ଏସପି ଓ ବିଦ୍ୟୁତ୍ ÷ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇ ୭ ଦିନ ମଧ୍ୟରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଥିଲେ ଯେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜନୈତିକରଣ କରାନଯିବା ଉଚିତ୍ । ବିରାଧୀ ଦଳମାନେ ଗୃହରେ ରହି ପରାମର୍ଶ ଦେଇଥିଲେ ଭଲ ହୋଇଥାନ୍ତା । ବିଦ୍ୟୁତ୍ ତାରରେ ଲୋକ ବା ପ୍ରାଣୀ ମରିବା ଘଟଣା ବହୁବାର ଦେଖାଦେଇଥାଏ । ଏହାକୁ ରୋକିବାପାଇଁ ପଦକ୍ଷେପ ନିଆଯାଉଛି । ଏଭଳି ଘଟଣା ଯେଭଳି ପୁନରାବୃତି ନହେବ ସେଥିପାଇଁ ସରକାର ସଜାଗ ଅଛନ୍ତି । ଲାଇନ୍ ସଜାଡିବାକୁ କୁହାଯାଇଛି । ବସ୍ ଡ୍ରାଇଭର ଅଟକି ଯାଇଥିଲେ ଦୁର୍ଘଟଣା ହୋଇନଥାନ୍ତା । ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଉଛି । ୨୦୦୦ରେ ୧୬ ଲକ୍ଷ ବିଦ୍ୟୁତ୍ ଗ୍ରାହକ ଥିବା ବେଳେ ବର୍ତମାନ ୯୬ ଲକ୍ଷ ଗ୍ରାହକ ଅଛନ୍ତି । ଦୁର୍ଘଟଣାରେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।