ଭୁବନେଶ୍ୱର – ଭାଷାର ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥ ମଂଜୁରୀ କରିଥିବା ବେଳେ ଓଡିଶାକୁ ସେଥିରୁ କୌଣସି ଅର୍ଥ ଦିଆନଯିବାକୁ ନେଇ ବିଧାନସଭାରେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ ହଟ୍ଟଗୋଳ କରାଯାଇଥିଲା । ଫଳରେ ବାଚସ୍ପତି ଗୃହକୁ ୧୨ ଟା ୧୪ରୁ ୧୨ ଟା ୨୯ ଏବଂ ଉପବାଚସ୍ପତି ୧୨ ଟା ୨୯ରୁ ୧୨ ଟା ୫୦ ପର୍ଯ୍ୟନ୍ତ ୨ ଥର ମୁଲତବୀ ରଖିଥିଲେ ।
ଶୂନ୍ୟକାଳରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ଭାଷାର ବିକାଶ ପାଇଁ କେନ୍ଦ୍ର ସରକାର ୩୦୦ କୋଟି ଟଙ୍କା ମଂଜୁର କରିଛନ୍ତି । ସେଥିରୁ ଗୋଟିଏ ହେଲେ ଟଙ୍କା ଓଡିଶାକୁ ଦେଇ ନାହାନ୍ତି । ରାଜ୍ୟ ସରକାର ଏହା ଉପରେ ସ୍ପଷ୍ଟୀକରଣ ରଖିବା ଦରକାର । ଏହା ଉପରେ ନିର୍ଦ୍ଦିଷ୍ଟ ରୁଲିଂ ଦେବାପାଇଁ ସେ ଦାବି କରିଥିଲେ ।ପରେ କଂଗ୍ରେସ ସଭ୍ୟ ନରସିଂହ ମିଶ୍ର କହିଥିଲେ ଯେ ସଂସ୍କୃତର ବିକାଶ ପାଇଁ ୯୦ କୋଟି ଟଙ୍କା ମଂଜୁରୀ ହୋଇଥିବା ବେଳେ ଓଡିଶାକୁ କିଛି ମିଳିନାହିଁ । ବାଚସ୍ପତି ଏହା ଉପରେ କୌଣସି ରୁଲିଂ ନଦେବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟ ଭାଗକୁ ଆସି ହୋ ହାଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୨ ଥର ମୁଲତବୀ ରଖିଥିଲେ ।
ଏହାପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଉକ୍ତ ପ୍ରସଙ୍ଗରେ ଆସନ୍ତାକାଲି ଗୃହରେ ଉତର ରଖିବାପାଇଁ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।