-
ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ରେ ଶେଷ ହେବ
-
ଏଥର ୫,୬୦,୯୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
-
ଶୁଭେଚ୍ଛା ଜଣାଇଲେ ଶିକ୍ଷାମନ୍ତ୍ରୀ
ଭୁବନେଶ୍ୱର- ଆସନ୍ତାକାଲିଠାରୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏଥିନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ମହାନ୍ତି ମାଟ୍ରିକ୍ ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମନ୍ତ୍ରୀ ପିଲାଙ୍କୁ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇ କହିଛନ୍ତି ଯେ ଏହା ଜୀବନର ପ୍ରଥମ ପରୀକ୍ଷା ତେଣୁ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ।
ପରୀକ୍ଷା ପରିଚାଳନା ନେଇ ମନ୍ତ୍ରୀ କହିଛନ୍ତି ଯେ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ।୧୦୦୦ ସେଂଟରରେ ସିସିଟିଭି ଲାଗିଛି । ଅଧ୍ୟାପକ ମାନଙ୍କୁ ନେଇ ସ୍କ୍ୱାର୍ଡ ଗଠନ ହୋଇଛି । ସବୁସ୍ଥାନକୁ ପ୍ରଶ୍ନପତ୍ର ପହଂଚି ସାରିଛି । ଶୃଙ୍ଖଳାର ସହିତ ପରୀକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଏକ ସମୟରେ ହାଇସ୍କୁଲ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ହେବ । ଚଳିତ ବର୍ଷ ସମୁଦାୟ ୫,୬୦,୯୦୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ । ଏମାନଙ୍କ ମଧ୍ୟରେ ୫,୪୭,୭୬୧ ଜଣ ହାଇସ୍କୁଲ୍, ୯,୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ୩,୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥିୀ ଅଛନ୍ତି । ଏମାନଙ୍କ ପାଇଁ ସମୁଦାୟ ୨,୮୮୮ ଟି ପରୀକ୍ଷା କେନ୍ଦ୍ର, ୩୦୭ଟି ନୋଡାଲ୍ କେନ୍ଦ୍ର ଏବଂ ୬୧ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି ।
ପରୀକ୍ଷା ଉପରେ ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇ ସ୍କାର୍ଡ ଏବଂ ବୋର୍ଡ ସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇଛି । ଏହାଛଡା ଆବଶ୍ୟକ ପରିମାଣର ପୋଲିସ୍ ପଇଁତରା ଏବଂ ସ୍କ୍ୱାର୍ଡ ଗଠନ କରାଯାଇଛି ।