ବାରିପଦା- ଗ୍ରୀଷ୍ମ ଋତୁ ଆସି ନାହିଁ, ବାରିପଦା ପୌରପରିଷଦରେ ପାଣିକୁ ନେଇ ଦେଖା ଦେଇଛି ସମସ୍ୟା । ପୌରପରିଷଦର ୧୩ ନମ୍ବର ୱାର୍ଡ଼କୁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲେ ମଧ୍ୟ ପୌରପରିଷଦର ଏ ଦିଗରେ ନିଘା ନାହିଁ । ଯାହାର ପ୍ରତିବାଦରେ ଆଜି ୱାର୍ଡ଼ର ଶତାଧିକ ମହିଳା ଓ ବାଳିକାମାନେ ଗରା, ବାଲଟି ଆଦି ଧରି ରାଜରାସ୍ତାକୁ ଓହ୍ଲାଇ ଆସି ପାଲବଣି- କେସି ସାର୍କଲ ମୁଖ୍ୟ ରାସ୍ତାକୁ ବାରିପଦା ଷ୍ଟେସନ ସମ୍ମୁଖରେ ସକାଳ ସାଢ଼େ ୮ରୁ ୧୨ଟା ପର୍ଯ୍ୟନ୍ତ ୪ ଘଂଟା ଧରି ଟାୟାର ଜାଳି ଅବରୋଧ କରିଥିଲେ । ଫଳରେ ଉକ୍ତ ରାସ୍ତାରେ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ବାଇକ୍ ଠାରୁ ଆରମ୍ଭ କରି ସମସ୍ତ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା । ବାରିପଦା ସହରର ମୁଖ୍ୟ ରାସ୍ତାକୁ ୪ ଘଂଟା ଧରି ଆନ୍ଦୋଳନକାରୀମାନେ ଅବରୋଧ କରିଥିଲେ ମଧ୍ୟ ଘଟଣାସ୍ଥଳରେ ପହଁଚି ପାରିନଥିଲେ କୌଣସି ପ୍ରଶାସନିକ ଅଧିକାରୀ । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଁଚିଥିଲା । ଏଥି ସହିତ ଟ୍ରାଫିକ ପୁଲିସ ଲେବଲ କ୍ରସିଂ ଛକ ଓ ଆର୍ଶୀବାଦ ଛକ ନିକଟରେ ରହି ପାଲବଣି ଷ୍ଟେସନ ରାସ୍ତାରେ ଆସୁଥିବା ଗାଡ଼ି ମୋଟରକୁ ନିୟନ୍ତ୍ରଣ କରାଇବା ସହ କନଭେଂଟ ରାସ୍ତା ଦେଇ ଯାତାୟତ କରିବାକୁ ପରାମର୍ଶ ଦେଇଥିଲେ ।
ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ବିଷୟରେ ଜନ ସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ କେ. ସି. ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଗତ ଫେବୃଆରୀ ୧୫ ତାରିଖ ଶନିବାର ଦିନ ୧୩ ନମ୍ବର ୱାର୍ଡ଼ରେ ଥିବା ପାଣି ପମ୍ପ ଅଚଳ ହୋଇପଡ଼ିଥିବା ନେଇ ସେ ଖବର ପାଇଥିଲେ ଏବଂ ରବିବାର ଛୁଟି ଦିନ ଯିବା ପରେ ଆଜି ସୋମବାର ପମ୍ପ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଅପରାହ୍ନ ୪ଟା ମଧ୍ୟରେ ୱାର୍ଡ଼ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହୋଇଯିବ ବୋଲି କହିଥିଲେ ।
ୱାର୍ଡ଼ ନମ୍ବର ୧୩ ଶ୍ରୀପଦଗଞ୍ଜ ମହିଳା ମହାସଂଘର ସମ୍ପାଦିକା ସୁଷମା ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜକୁ ୩/ ୪ ମାସ ଧରି ୱାର୍ଡ଼ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଛି । କେଉଁ ଦିନ ରାତି ୧୨ଟା ପୁଣି କେତେବେଳେ ରାତି ଗୋଟାଏ ସମୟରେ ଗୋଟାଏ ଓଳି ପାଣି ଯୋଗାଇ ଦେଉଥିବା ସମୟରେ ୧୫ ଦିନ ହେବ ତାହା ମଧ୍ୟ ବନ୍ଦ ହୋଇଯାଇଛି । ୩/ ୪ ଥର ଅଟୋ ଭଡ଼ା କରି ପୌରପରିଷଦ ଯାଇ ବାରମ୍ବାର ଅଭିଯୋଗ କରିଆସୁଥିଲେ ସୁଦ୍ଧା ସବୁ କିଛି ଠିକ୍ ଠାକ୍ ହୋଇଯିବ ବୋଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ କାର୍ଯ୍ୟରେ କିଛି ନାହିଁ । ପମ୍ପ ହାଉସ ଚଳାଇବା ନିମନ୍ତେ ନିଯୁକ୍ତି ପାଇଥିବା ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥାଇ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରୁଥାଏ । କେତେଦିନ ବିନା ପାଣିରେ ଚଳିଥାନ୍ତୁ । ତେଣୁ ସହ୍ୟ କରିବାର ସମସ୍ତ ସୀମା ଅତିକ୍ରମ କରିଯାଇଥିବା କାରଣରୁ ଆଜି ରାସ୍ତାକୁ ଓହ୍ଲାଇ ଆସିବା ନିମନ୍ତେ ବାଧ୍ୟ ହୋଇଛୁ ।
ସେହିପରି ସମାଜସେବୀ ତଥା ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ରାକେଶ ସିଂ କୁହନ୍ତି, ବୋର୍ଡ଼ ଭାଙ୍ଗିଯିବା ପରେ ଜିଲ୍ଲାପାଳ ବାରିପଦା ପୌରପରିଷଦର ନଗରପାଳ ଦାୟିତ୍ୱରେ ରହିଛନ୍ତି । ପୁଣି ସୁବାଶିଷ ମାନସିଂହଙ୍କ ବଦଳି ପରେ ପ୍ରାୟ ୧୮/୧୯ ମାସ ହେବ ବାରିପଦା ବ୍ଲକର ବିଡ଼ିଓ ପୌରପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଛନ୍ତି । ଫଳରେ ବାରିପଦା ପୌରପରିଷଦରେ ଏକ ପ୍ରକାରର ଅଚଳାବସ୍ଥା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ଲକ୍ଷ୍ୟଚ୍ୟୁତ ହୋଇଯାଇଛି । ପୁଣି ବିଜେଡ଼ିର ମା’କୁ ସମ୍ମାନ ନାରା ପ୍ରହସନରେ ପରିଣତ ହୋଇଛି । ସରକାର ଓ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ବ୍ୟବହାର କରୁଥିବା ବେଳେ ଆଜି ସେହି ସ୍ୱୟଂ ସାହାୟିକା ଗୋଷ୍ଠୀର ଶତାଧିକ ମହିଳା ସେମାନଙ୍କ ସମସ୍ୟାକୁ ନେଇ ରାଜରାସ୍ତାରେ ପହଁଚି ସାରିଛନ୍ତି । ସରକାର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସେମାନଙ୍କର ମୌଳିକ ଅଧିକାର । ସେହି ଅଧିକାର ପ୍ରଦାନ କରିବାରେ ସରକାର ବିଫଳ ହୋଇଛି । ପ୍ରାୟ ୧୫ ଦିନ ଧରି ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବା ବେଳେ ପୌରପ୍ରଶାସନ ପକ୍ଷରୁ ଯଥାଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିଲା ଏବଂ ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଭାବେ ପାଣି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ପାରିଥାନ୍ତେ । ମାତ୍ର ୧୩ ନମ୍ବର ୱାର୍ଡ଼ବାସୀଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ସତ୍ୱେ ପୌରପ୍ରଶାସନ ନୀରବଦ୍ରଷ୍ଟା ସାଜି ଜନସାଧାରଣଙ୍କ ଦୁଃଖ ଦୁର୍ଦ୍ଦଶାକୁ ମନଭରି ଉପଭୋଗ କରିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ୱଚ୍ଛ, ନିର୍ମଳ ଓ ଜନଦରଦୀ ଶାସନର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ସମାଜସେବୀ ତଥା ଭଞ୍ଜସେନାର କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ସିଂ ପ୍ରକାଶ କରିଛନ୍ତି ।
ଏ ବିଷୟରେ ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ ନିମନ୍ତେ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା । ତେବେ ରାସ୍ତା ଅବରୋଧ ଜାରି ରହିଥିବା ବେଳେ ସେଠାରେ ଦୀର୍ଘ ସମୟ ଧରି କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା । ମଧ୍ୟାହ୍ନ ୧୨ଟାରେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ବିଶ୍ୱରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଁଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ସନ୍ଧ୍ୟା ସୁଦ୍ଧା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱଭାବିକ ହେବାର ନିର୍ଭର ପ୍ରତିଶ୍ରୁତି ଦେବା ସହ ଭବିଷ୍ୟତରେ ଏହା ନିୟମିତ ଓ ନିର୍ଦ୍ଧାରିତ ସମୟରେ ହେବ ଏବଂ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ୱାର୍ଡ଼ର ୩ଟି ସ୍ଥାନରେ ଟ୍ୟାଙ୍କର ରହି ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା ।