-
କେନ୍ଦ୍ର ପଇସା ଦେଉଛି , ତାହା ମଧ୍ୟ ଉଲ୍ଲେଖ କରାଯାଉ : ବିରୋଧୀ ଦଳନେତା
-
ରାଜ୍ୟ ୪୦% ଅର୍ଥ ଦେଉଛି , ବିଜୁ ପକ୍କା ଘରର ଲୋଗୋ ଲାଗିଲେ ଅସୁବିଧା କ’ଣ : ପ୍ରମିଳା ମଲ୍ଲିକ
-
ବିଜେପି ଅସହିଷ୍ଣୁ : ଦେବୀ ମିଶ୍ର
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ୱାର୍କ ଅର୍ଡର ଦିଆଯିବା ବେଳେ ବିଜୁ ବାବୁଙ୍କ ଲୋଗୋ ରହିବାକୁ ନେଇ ସୋମବାର ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି ।
ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ରାଜ୍ୟରେ ଲୋକଙ୍କ ପାଖରେ ଘର ନାହିଁ । କଚ୍ଚା ଘରକୁ ପକ୍କା କରିବାକୁ ଉଭୟ ସରକାର ଚାହାନ୍ତି । ଏହି ଘର ପାଇଁ ୱାର୍କ ଅର୍ଡର ଦେବା ବେଳେ ସରକାରୀ ଅଧିକାରୀମାନେ ବିଜୁ ବାବୁଙ୍କ ଲୋଗୋ ଲଗାଉଛନ୍ତି । କେନ୍ଦ୍ର ସରାକାର ଏଥିପାଇଁ ପଇସା ଦେଉଛନ୍ତି । ସେସମ୍ପର୍କରେ କିଛି ଉଲ୍ଲେଖ କରାଯାଉ ନାହିଁ । ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ । କେନ୍ଦ୍ର ସରକାର ଏବାବଦରେ ୬୦% ଅର୍ଥ ଦେଉଛନ୍ତି । ତାହା ମଧ୍ୟ ଉଲ୍ଲେଖ କରାଯିବା ଦରକାର । ସେଥିରେ ବିଜୁ ବାବୁଙ୍କ ଲୋଗୋ କଣ ପାଇଁ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଯାଜପୁର ଡିଆରଡିଏ ଭୁବନେଶ୍ୱରର ନିର୍ଦ୍ଦିଷ୍ଟ ଏକ ସଂସ୍ଥାକୁ ବିଜୁ ପକ୍କା ଘର ଲୋଗୋ ଲଗାଇ ଟାଇଲ ତିଆରି କରିବା ପାଇଁ ଅର୍ଡର ଦେଇଛନ୍ତି । କେନ୍ଦ୍ର ସରକାର ଘର ପାଇଁ ୬୦ ପ୍ରତିଶତ ଟଙ୍କା ଦେଉଛନ୍ତି ଏବଂ ରାଜ୍ୟ ସରକାର ୪୦ ପ୍ରତିଶତ ଦେଉଛନ୍ତି । ତଣୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ଲାଗି ପାରିବ ନାହିଁ ବୋଲି ଶ୍ରୀ ନାଏକ କହିଥିଲେ ।
ଏହା ଉପରେ ପ୍ରତିକ୍ରିୟା ରଖି ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଲେ ଯେ ପୂର୍ବରୁ ପକ୍କା ଘର ପାଇଁ ଥିବା କେନ୍ଦ୍ରୀୟ ଯୋଜନା ଇନ୍ଦିରା ଗାନ୍ଧୀଙ୍କ ନାଁ ଅନୁସାରେ ନାମିତ ହୋଇଥିଲା କିନ୍ତୁ ୨୦୧୪ରେ ବିଜେପି କେନ୍ଦ୍ରରେ ଶାସନରେ ଆସିବା ପରେ ଏହାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନାମିତ କରାଗଲା । ରାଜ୍ୟ ସରକାର ଟଙ୍କା ନଦେଲେ ଘର ହୋଇପରିବ ନାହିଁ । ରାଜ୍ୟ ସରକାର ଯଦି ପକ୍କା ଘର ପାଇଁ ୪୦ ପ୍ରତିଶତ ଅର୍ଥ ଦେଉଛନ୍ତ ି ତେବେ କାହିଁକି ବିଜୁ ପକ୍କା ଘରର ଲୋଗୋ ଲାଗିବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ ।
ସେହିପରି ଦେବୀ ମିଶ୍ର କହିଥିଲେ ଯେ ଏହି ଘର ପାଇଁ ପ୍ରାୟ ପୁରା ଟଙ୍କା ମିଳୁଥିଲା । । ମୋଦି ସରକାର କ୍ଷମତାସୀନ ହେବା ପରେ ଏହାକୁ ୬୦ ଅନୁପାତ ୪୦ କରିଦେଲେ । ଲୋଗୋ ଲଗାଇଲେ ଆକାଶ ଛିଡି ପଡିବ ନାହିଁ । ଏଥିରେ ଅସହିଷ୍ଣୁ ହେବାର ନାହିଁ । ଆବାସରେ ବିଜୁ ବାବୁଙ୍କ ଫଟୋ ଲାଗିଲେ ଫଳକ ଭାଙ୍ଗିଦେବା ଭଳି ଚେତାବନୀ ଦେବା ଦୁର୍ଭାଗ୍ୟଜନକ । ଗଲା ଦୁଇ ବର୍ଷ ଭିତରେ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ଭିତରୁ ରାଜ୍ୟ ସରକାର ୬ ହଜାର କୋଟି ଦେଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ଶ୍ରୀ ମିଶ କହିଥିଲେ ଯେ କଲିକତା ଭଳି ପ୍ରଧାନମନ୍ତ୍ରୀ ସଡକ ଯୋଜନାକୁ ବାଂଲା ସଡକ ଯୋଜନା ତ କରିନୁ । ଆମର ସଂଘୀୟ ବ୍ୟବସ୍ଥା ପ୍ରତି ଯଥେଷ୍ଟ ସମ୍ମାନ ଅଛି । ଏଭଳି ଅସହିଷ୍ଣୁତା ବିଜେପି ପକ୍ଷରୁ ପ୍ରକାଶ ପାଇବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ ।