ଭୁବନେଶ୍ୱର – ପରିବହନ ମନ୍ତ୍ରୀ ତଥା ବୀର ମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମିଥ୍ୟା ସତ୍ୟପାଠ ଦେଇଥିବା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମୋକଦ୍ଦମା ରୁଜୁ କରନ୍ତୁ ବୋଲି ଦାବି କରିଛି କଂଗ୍ରେସ । କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ନୀଶିକାନ୍ତ ମିଶ୍ର ଏହି ଦାବି କରିଛନ୍ତି ।
ସେ କହିଛନ୍ତି ଯେ 2004ରୁ 2109 ମଧ୍ୟରେ 4ଟି ନିର୍ବାଚନ ସମୟରେ 3 ପ୍ରକାର ସତ୍ୟପାଠ ଦାଖଲ କରିଛନ୍ତି. 2004 ନିର୍ବାଚନରେ 1972ରେ ମାଟ୍ରିକ ପରୀକ୍ଷା ଦେଇଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଥିବା ବେଳେ 2009ରେ 1973ରେ ମାଟ୍ରିକ ପାସ ହୋଇଥିବା ନେଇ ସତ୍ୟପାଠରେ ତଥ୍ୟ ଦେଇଥିଲେ । ସେହିପରି 2014ରେ 1973ରେ ମାଟ୍ରିକ ବୋଲି ସତ୍ୟପାଠରେ ଦର୍ଶାଇଥିଲେ । ହେଲେ 2019 ସଧାରଣ ନିର୍ବାଚନରେ 1973ରେ ଅଷ୍ଟମ ପାସ ବୋଲି ସତ୍ୟପାଠରେ ଉଲ୍ଲେଖ କରିଥିଲେ ପଦ୍ମନାଭ ବେହେରା. ତେବେ 2020 ଜାନୁଆରୀ 9 ନିର୍ଦ୍ଦିଷ୍ଟ ଅଭିଯୋଗକୁ ଭିତ୍ତି କରି ହାଇକୋର୍ଟ ବୀରମହାରାଜପୁର ଥାନାକୁ ପଦ୍ମନାଭଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏକ ମାସ ବିତି ଯାଇଥିଲେ ସୁଦ୍ଧା ଘଟଣାକୁ ନେଇ ସୁବର୍ଣ୍ଣପୁର ଏସପି କହୁଛନ୍ତି ଏ ନେଇ ଅନୁଧ୍ୟାନ କରାଯାଉଛି. । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏଠି ପ୍ରଶ୍ନ ଉଠୁଛି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବୀରମହାରାଜପୁର ଥାନା ଅଧିକାରୀ କାହାର ଅନୁମତିକୁ ଅପେକ୍ଷା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ମନ୍ତ୍ରୀଙ୍କ ବିରୋଧରେ ଏଭଳି ମାମଲା ସାମ୍ନାକୁ ଆସିବା ମନ୍ତ୍ରୀ ମଣ୍ଡଳର ଗାରିମାକୁ କ୍ଷୁର୍ଣ୍ଣ କରୁନାହିଁ କି ଏବଂ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି ସେ କହିଛନ୍ତି ।
କଂଗ୍ରେସ ଦାବି କରୁଛି ଯେ ମୁଖ୍ୟମନ୍ତ୍ରୀ ତୁରନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ପଦ୍ମନାଭ ବେହେରାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରନ୍ତୁ ଏବଂ ମନ୍ତ୍ରୀ ମଣ୍ଡଳରୁ ତାଙ୍କୁ ଯଥାଶୀଘ୍ର ବହିଷ୍କାର କରନ୍ତୁ ବୋଲି ସେ କହିଛନ୍ତି ।