-
‘ନାରୀ ସମ୍ମାନ’ ପୁରସ୍କାର ପାଇଁ ମନୋନୀତ ହେଲେ ରୁଦ୍ର
ବାଲେଶ୍ୱର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ- ଯୁବଲେଖକ, ସାମ୍ବାଦିକ ତଥା କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ରୁଦ୍ରରଂଜନ ଶେଜପଡ଼ା ଓ୍ଵିମେନ୍ ଆକ୍ଟିଭିଷ୍ଟ୍ ଭାବରେ ପାଇବେ ଜାତୀୟସ୍ତରୀୟ ‘ନାରୀ ସମ୍ମାନ-୨୦୨୦’ ପୁରସ୍କାର। ଅଗ୍ରଣୀ ପ୍ରକାଶିିନୀ ସଂସ୍ଥା ‘ଲିଟେରୋମା’ ଦ୍ବାରା ପ୍ରତିବର୍ଷ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ଏଥିପାଇଁ ରୁଦ୍ରଙ୍କୁ ମନୋନୀତ କରାଯାଇଥିବାରୁ ବାଲେଶ୍ଵରରେ ଖୁସିର ବାତାବରଣ ସୃଷ୍ଟି ହୋଇଛି। ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଆସନ୍ତା ମାର୍ଚ୍ଚ ମାସ ୮ ତାରିଖ ଦିନ ମହିଳା ଦିବସ ଅବସରରେ ପଶ୍ଚିମବଙ୍ଗ କଲିକତାସ୍ଥ ନ୍ୟୁ ଟାଉନ୍ ସ୍ମାର୍ଟ ଲାଇବ୍ରେରିରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
ପୁରସ୍କାର ସ୍ଵରୂପ ଟ୍ରଫି, ମେଡାଲ୍, ମାନପତ୍ର ଏବଂ ମିଡିଆ କଭରେଜ୍ ପ୍ରଦାନ କରାଯିବ ବୋଲି ‘ଲିଟେରୋମା’ର ମୁଖପାତ୍ର କହିଛନ୍ତି। ଶ୍ରୀ ଶେଜପଡ଼ା ବର୍ତ୍ତମାନ ‘ସମ୍ବାଦ’ ଖବରକାଗଜର ଉତ୍ତର ଓଡ଼ିଶା ସଂସ୍କରଣରେ ସହ ସଂପାଦକ ଭାବେ କାର୍ଯ୍ୟରତ। ସେ ତାଙ୍କର ଦୀର୍ଘ ୯ ବର୍ଷର ସାମ୍ବାଦିକତା କ୍ୟାରିୟର ମଧ୍ୟରେ ମହିଳାଙ୍କ ସଫଳତା ଓ ବିଭିନ୍ନ ସମସ୍ୟାକୁ ନେଇ ଅନେକ ପ୍ରେରଣାଦାୟୀ ତଥା ସରକାରୀ ବ୍ୟବସ୍ଥା ଉପରେ ପ୍ରଭାବ ପକାଇବା ଭଳି ଫିଚର୍ ପ୍ରସ୍ତୁତ କରିଛନ୍ତି। ସେହିପରି ଲିଙ୍ଗଭେଦ ଉପରେ ମଧ୍ୟ ତାଙ୍କର ଅନେକ ଖବର ଓ ଫିଚର୍ ଗଣମାଧ୍ୟମରେ ପ୍ରକାଶ ପାଇଛି। ଯେଉଁଥିପାଇଁ ସେ ୨୦୧୧-୧୨ ଏବଂ ୨୦୧୨-୧୩ ମସିହାରେ ଲଗାତର ଜାତୀୟ ‘ଲାଡ୍ଲୀ ମିଡିଆ ଆୱାର୍ଡ’ ପାଇଛନ୍ତି। ସେହିପରି ୨୦୧୦ ମସିହାରେ ମଧ୍ୟ ନାରୀଙ୍କୁ ନେଇ ଉତ୍କୃଷ୍ଟ ସମ୍ବାଦ ପରିବେଷଣ ପାଇଁ ରାଜ୍ୟପାଳ ପୁରସ୍କାର ହାସଲ କରିଛନ୍ତି। ଖାଲି ସେତିକି ନୁହେଁ, ଜଣେ କବି ଭାବେ ବି ସେ ବେଶ୍ ପରିଚିତ। ୨୦୧୯ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ବାଆଁରା’ ପ୍ରକାଶ ପାଇଛି। ସେହିପରି ଚଳଚ୍ଚିତ୍ର ‘ଏକ୍ ଇଡିଅଟ୍’ ପାଇଁ ମଧ୍ୟ ସେ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାରର ଅଧିକାରୀ ହୋଇଛନ୍ତି।
ଏ ନେଇ ଶ୍ରୀ ଶେଜପଡ଼ା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, “କୌଣସି ବି ପୁରସ୍କାର ପଛରେ ଅଧ୍ୟବସାୟ ଏବଂ ଇଚ୍ଛାଶକ୍ତି ନଥିଲେ ତାହା ଆନନ୍ଦଦାୟୀ ହୁଏନା। ମୋର ଏହି ପୁରସ୍କାର ପ୍ରାପ୍ତି ପଛରେ ବି ମୋର ଆଗ୍ରହ ଓ ନିଷ୍ଠା ରହିଛି। ଏହାଛଡା ମୁଁ ଏ ସଫଳତାର ଶ୍ରେୟ ‘ସମ୍ବାଦ’ ଖବରକାଗଜ ସହ ଜଡ଼ିତ ସମସ୍ତ ସହକର୍ମୀ ତଥା ମୋର ସହଧର୍ମିଣୀଙ୍କୁ ଦେବାକୁ ଚାହିଁବି।” ବାଲେଶ୍ଵର ର ଶିଳ୍ପାଞ୍ଚଳରେ ସପରିବାର ରହୁଥିବା ଶ୍ରୀ ଶେଜପଡ଼ାଙ୍କ ପ୍ରକୃତ ଘର ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅଧୀନସ୍ଥ ଝାରପୋଖରିଆ ପଞ୍ଚାୟତ ଅନ୍ଧାରୀ ଗ୍ରାମରେ। ତାଙ୍କ ମାଆ ଚମ୍ପାବତୀ ବାରିକ ଜଣେ ଶିକ୍ଷୟିତ୍ରୀ ଏବଂ ବାପା ରବୀନ୍ଦ୍ର ନାଥ ଶେଜପଡ଼ା ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି।