– ୨୦୧୯ ସୁଦ୍ଧା ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷ ଛୁଇଁବ ମୋ ବସ୍
– ଖୁବ୍ଶୀଘ୍ର ଚାଲିବ ୫୦ଟି ଇଲେକ୍ଟ୍ରି ବସ୍
ଭୁବନେଶ୍ୱର, ୦୪ ସେପ୍ଟେମ୍ବର – ୨୦୧୯ ଡିସେମ୍ବର ଶେଷ ସୁଦ୍ଧା ମୋ ବସ୍ ରେ ଦୈନିକ ଯାତ୍ରୀ ସଂଖ୍ୟା ୧ ଲକ୍ଷରେ ପହଂଚିବ । ମୋ ବସ୍ ଚଳାଚଳ ଯୋଗୁଁ ଟ୍ରାଫିକ୍ ଜାମ୍ ସହ ପ୍ରଦୂଷଣ ହ୍ରାସ ପାଇଛି ଓ ଜନସାଧାରଣ ନିଜ ଗାଡ଼ିରେ ଯାତ୍ରା ନକରି ମୋ ବସ୍ରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ବାର୍ଷିକ ସରକାରଙ୍କ ପକ୍ଷରୁ ମୋ ବସ୍ ସେବା ପ୍ରଦାନ ପାଇଁ ୫୫ କୋଟି ଟଙ୍କା ସବ୍ସିଡି ଦିଆଯାଉଛି । ସେବା ସହିତ ସାଲିସ୍ ନକରି ସବ୍ସିଡି ପରିମାଣ ହ୍ରାସ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଥିଲେ । ଖୁବ୍ଶୀଘ୍ର ୫୦ଟି ଇଲେକ୍ଟ୍ରି ବସ୍ ଗମନାଗମନ କରିବ ବୋଲି ମନ୍ତ୍ରୀ ବୋଲି ପ୍ରକାଶ କରିଛନ୍ତି ।
ବୁଧବାର ପୂର୍ବାହ୍ନରେ ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଅଂଚଳରେ ଗମନାଗମନ କରୁଥିବା ମୋ ବସ୍ ସେବା ସଂପର୍କରେ ସମୀକ୍ଷା କରିଛନ୍ତି । ମହାନଗର କ୍ଷେତ୍ର ସହରୀ ପରିବହନ ସଂସ୍ଥା (କ୍ରୁଟ୍) ପକ୍ଷରୁ ୨୦୧୮ ମସିହା ନଭେମ୍ବର ମାସ ୬ ତାରିଖଠାରୁ ମୋ ବସ୍ ନାମରେ କିଛି ନୂତନ ବସ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ବର୍ତମାନ ଦ୍ୱୈତ ନଗରୀର ୨୦ଟି ରୁଟ୍ରେ ଦୈନିକ ୧୮୦୦ ଥର ଲଘୁଭ୍ରମଣ ସ୍ୱରୂପ ୭୦ ହଜାର ଯାତ୍ରୀମାନଙ୍କୁ ନେଇ ଉକ୍ରୃଷ୍ଟ ଜ୍ଞାନକୌଶଳ, ମାଗଣା ୱାଇଫାଇ ଏବଂ ଅତ୍ୟନ୍ତ ସ୍ୱଚ୍ଛ ୨୦୦ଟି ମୋ ବସ୍ ଯାତାୟତ କରୁଛି । ଏହି ବସ୍ଗୁଡ଼ିକ ଏକୀକୃତ ସ୍ମାର୍ଟ ପ୍ରଯୁକ୍ତି ବିଦ୍ୟା ଯେପରିକି ମାଗଣା ୱାଇଫାଇ, ଡିଜିଟାଲ୍ ଘୋଷଣା ପତ୍ର, ଏଲ୍ଇଡି ଦୃଶ୍ୟ ବୋର୍ଡ, ସଂନିରୀକ୍ଷଣ କ୍ୟାମେରା ଓ ବୈଦ୍ୟୁତିକ ଟିକେଟ୍ ପରି ଅତ୍ୟାଧୁନିକ ଜ୍ଞାନକୌଶଳରେ ବିକଶିତ ।
ଏହି ୨୦୦ଟି ବସ୍ ମଧ୍ୟରୁ ୧୦୦ଟି (୫୦ଟି ବାତାନୁକୂଳୀନ ଓ ୫୦ଟି ଅଣବାତାନୁକୂଳୀନ) ମଧ୍ୟମ ଧରଣର ବସ୍ ପଟିଆ ଡିପୋରେ ଉପଲବ୍ଧ ଏବଂ ୧୦୦ଟି ଅଣ ବାତାନୁକୂଳୀନ ମିଡି ବସ୍ ପାତ୍ରପଡ଼ା ସମ୍ ଡିପୋରେ ରହିଛି । ପଟିଆ ବସ୍ ଡିପୋରେ ଥିବା ବସ୍ଗୁଡ଼ିକ ଦୈନିକ ୨୨୦୭୮ କିମି (ବାତାନୁକୂଳୀନ ବସ୍ଗୁଡିକ ଦୈନିକ ୧୦୯୪୬ କିମି ଓ ଅଣବାତାନୁକୂଳୀନ ବସ୍ଗୁଡ଼ିକ ଦୈନିକ ୧୧୧୩୨ କିମି) ପଥ ଅତିକ୍ରମ କରୁଥିବାବେଳେ ପାତ୍ରପଡ଼ା ବସ୍ ଡିପୋରେ ଥିବା ବସ୍ଗୁଡ଼ିକ ଦୈନିକ ୧୮୭୩୬ କିମି ପଥ ଅତିକ୍ରମ କରୁଥିବା ବୈଠକରୁ ଜଣାଯାଇଛି ।
ଯାତ୍ରୀମାନଙ୍କର ସୁବିଧା ପାଇଁ ମୋ ବସ୍ ଆପ୍ଲିକେସନ୍ ସମସ୍ତ ସ୍ମାର୍ଟ ଫୋନ୍ରେ ଉପଲବ୍ଧ ଯାହା ଦ୍ୱାରା ଯାତ୍ରୀମାନେ ମୋ ବସ୍ର ଲାଇଭ୍ ଟ୍ରାକିଙ୍ଗ୍, ଗନ୍ତବ୍ୟ ପଥର ସୂଚନା, ଯାତ୍ରା ସମ୍ବନ୍ଧୀୟ ଯୋଜନା ଏବଂ ବୈଦ୍ୟୁତିକ ଟିକେଟ୍ ବ୍ୟବସ୍ଥାର ସୁବିଧା ସୁଯୋଗ ହାସଲ କରିପାରିବେ । ଭୁବନେଶ୍ୱର ମହାନଗର ନିଗମ କ୍ଷେତ୍ରରେ ଯାତାୟତ କରୁଥିବା ସମସ୍ତ ମୋ ବସ୍ଗୁଡ଼ିକରେ ଅସୀମିତ ଯାତ୍ରା ପାଇଁ \”ଭୁବନେଶ୍ୱର ପାସ୍, ମୋ ବସ୍ ସେବା ଅନ୍ତର୍ଗତ ସମସ୍ତ ମୋ ବସ୍ ଯାତ୍ରା ମାର୍ଗରେ ଅସୀମିତ ଯାତ୍ରା ପାଇଁ \”ମ୍ୟାଜିକ୍ ପାସ୍\’ ଏବଂ ମୋ ବସ୍ରେ ବାରମ୍ବାର ଯାତ୍ରା କରୁଥିବା ଯାତ୍ରୀମାନଙ୍କ ନିମନ୍ତେ କରାଯାଇଥିବା ପରିକଳ୍ପନା \”ରୁଟ୍ ପାସ୍\’ର ପ୍ରଚଳନ କରାଯାଇଛି । \nବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ମୋ ବସ୍ ସେବା ଅନ୍ତର୍ଗତ ସମସ୍ତ ବାତାନୁକୂଳୀନ ଓ ଅଣବାତାନୁକୂଳୀନ ବସ୍ଗୁଡ଼ିକରେ ଭଡ଼ା ଦେୟର ରିହାତି ପ୍ରଦାନ କରାଯିବ । ବୟସ୍କ, ବଧୀର ଏବଂ ଦିବ୍ୟାଙ୍ଗଙ୍କ ପାଇଁ ବସ୍ ଭଡ଼ାରେ ୫୦ ପ୍ରତିଶତ ରିହାତିର ବ୍ୟବସ୍ଥା କରାଯାଇଛି । ୧୦୦ ପ୍ରତିଶତ ଅନ୍ଧ, ୫୦ରୁ ୧୦୦ ପ୍ରତିଶତ ବିକଳାଙ୍ଗ ଶରୀର, ମାନସିକ ବିକାରଗ୍ରସ୍ତ, ଏଚ୍.ଆଇ.ଭି କିମ୍ବା ଏଡସ୍ରେ ପୀଡ଼ିତ ଯାତ୍ରୀମାନଙ୍କ ନିମନ୍ତେ ମୋ ବସ୍ରେ ଯାତ୍ରା ସଂପୂର୍ଣ୍ଣ ଦେୟମୁକ୍ତ ଅଟେ । ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ମୋ ବସ୍ରେ ଥିବା ସମ୍ମୁଖ ଆସନଗୁଡ଼ିକୁ ମହିଳା, ବୟସ୍କ ବ୍ୟକ୍ତି ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ।
ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ପୌରପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ୍ ନାୟକ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ. ଝା, ଶ୍ରୀ ଶୁଭେନ୍ଦୁ କାନୁନ୍ଗୋ, ଅନୁଶାସନ ସଚିବ ଶ୍ରୀ ବେଲାଳସେନ ବେହେରା ଓ କ୍ରୁଟ୍ର ପରି·ଳନା ନିର୍ଦ୍ଦେଶକ ଶ୍ରୀ ଅରୁଣ ବୋଥ୍ରାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ ।